ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ
ପୁରୀ:(ଯୁଗାଦ୍ଧ ନ୍ୟୁଜ) ପ୍ରତିବର୍ଷ ପରି ଚଳିତବର୍ଷ ଗଙ୍ଗାଧର ମହାପାତ୍ର ସ୍ମୁତି କମିଟି ପକ୍ଷରୁ ସ୍ଥାନୀୟ ଅନ୍ନପୁର୍ଣ୍ଣା ରଙ୍ଗମଞ୍ଚରେ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନମନ୍ତ୍ରୀ ଗଙ୍ଗାଧର ମହାପାତ୍ରଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ନୀଳକଣ୍ଠ ପତି ଓ ଉଦ୍ଘାଟକ ଭାବେ ଜଷ୍ଟିସ୍ ପିସି ପାତ୍ର ଯୋଗ ଦେଇଥିଲେ ।ଏହି ଅବସରରେ ଶ୍ରୀ ପାତ୍ର କହିଥିଲେ ଗଙ୍ଗାଧର ମହାପାତ୍ରଙ୍କୁ ସମସ୍ତେ ଗଙ୍ଗୁଭାଇନା ଭାବେ ଚିହ୍ନିଥିଲେ । ସେ ମଧ୍ୟ ଯାହାକୁ ଥରେ ଦେଖିଥିବେ ତାର ନାମ ଧରି ନିଜର ଭଳି ବ୍ୟବହାର କରିଥାନ୍ତି । ତେଣୁ ସେ ଓଡିଶାରେ ଜନପ୍ରିୟ ନେତା ଭାବେ ପରିଚିତ ହୋଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାଇକୋର୍ଟ ବାର୍ଆସୋସିଏସନ୍ର ସଭାପତି କହିଥିଲେ ଗଙ୍ଗାଧର ମହାପାତ୍ର ସମାଜରେ ଯେଉଁ ଦ୍ରୁ୍ଦ୍ଦିନରେ ଲୋକଙ୍କୁ ଆଇନଗତ ସେବା ସହିତ ସାମାଜିକ ବିକାଶ ଦିଗରେ ସମୟ ଦାନ କରୁଥିଲେ ସେପରି ଉତ୍ସର୍ଗୀକୁତ ପ୍ରତିଭାଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ପୁରୀ ଜିଲ୍ଲା ଜଜ୍ ଅମ୍ବୁଜ୍ ମୋହନ ଦାଶ ସମ୍ମାନି ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ଶ୍ରୀ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ ।
ପ୍ରାରମ୍ଭରେ ଅନୁଷ୍ଠାନ ସଂଗଠକ ସଂପାଦକ ଚକ୍ରଧର ମହାପାତ୍ର ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ଜଟାଧାରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କୁନ୍ତଳା କୁମାରୀ ଆଚାର୍ଯ୍ୟ, ନୀଳକଣ୍ଠ ମିଶ୍ର ଓ ଗୋପାଳ କୃଷ୍ଣ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟ, ସୁରଜମଲ୍ଲ ସାହା ମହାବିଦ୍ୟାଳୟ, ଗୋପିନାଥ ଦେବ ବିଦ୍ୟାପୀଠ, ଗଙ୍ଗାଧର ବିଦ୍ୟାପୀଠ ଓ ପୁରୀ ଜିଲ୍ଲାସ୍କୁଲର ଶ୍ରେଷ୍ଠ ଛାତ୍ରଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ-୨୦୧୯ରେ ପୁରସ୍କୁତ କରାଯାଇ ଥିଲା । ବରିଷ୍ଠ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲା ବେଳେ ପରିଚାଳନା କରିଥିଲେ ବିପିନ ବିହାରୀ ଦଲାଇ । ଯୁଗ୍ମ ସଂପାଦକ ବୀରେନ୍ଦ୍ର ଭୂଷଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।