ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଜନୈତିକ ଦଳମାନଙ୍କର ମୁଖିଆଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଦେଶରେ କରୋନାର ବ୍ୟାପକ ପ୍ରସାର ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରତିଭା ପାଟିଲ୍‌ଙ୍କ ସହ କଥା ହୋଇଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ର ମନେମାହନ ସିଂ ଓ ଏଚଡି ଦେବେଗୌଡାଙ୍କ ସହ ମଧ୍ୟ କରୋନା ସମ୍ପର୍କରେ ଆଲୋଚନା କରିଛନ୍ତି । ପୂର୍ବ ରାଷ୍ଟ୍ରପତି ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସମେତ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ମଧ୍ୟ ଏହା ବିଷୟରେ ଚର୍ଚ୍ଚା କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମୁଲାୟମ ସିଂ, ଅଖିଳେଶ ଯାଦବ, ମମତା ବାନାର୍ଜୀ, କେ. ଚନ୍ଦ୍ରଶେଖର ରାଓ, ଷ୍ଟାଲିନ୍‌ ଓ ପ୍ରକାଶ ସିଂ ବାଦଲ୍‌ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଦେଶରେ କରୋନା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି ।
ପୂର୍ବରୁ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ମଧ୍ୟ ହୋଇଥିଲେ । କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ବୈଠକ କରୁଛନ୍ତି। କରୋନା ମୁକାବିଲା ପାଇଁ ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଥିବାବେଳେ ଆଜି ରାତ୍ରି ୯ଟା ସମୟରେ ୯ ମିନିଟ୍‌ ପାଇଁ ଘରର ଆଲୁଅ ବନ୍ଦ ରଖି ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍‌ କିମ୍ବା ମୋବାଇଲ୍‌ର ଫ୍ଲାଶ୍‌ ଲାଇଟ୍‌ ଜାଳିବାକୁ କହିଛନ୍ତି । ତେବେ ଏହି ଦୀପ ଜାଳିବା ସମୟରେ ସାମାଜିକ ଦୂରତ୍ବକୁ ଧ୍ୟାନରେ ରଖିବାକୁ କହିଛନ୍ତି । ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍‌କୋନି ସମ୍ମୁଖରେ ଦୀପ, ମହମବତୀ କିମ୍ବା ଟର୍ଚ୍ଚ ଜାଳି ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାରା ଦେଶବାସୀ ଏକାଠି ହୋଇ କରୋନା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ