ପୂର୍ବତନ ସେନା କର୍ମଚାରୀଙ୍କୁ ପୋଲିସର ମାଡ ଘଟଣାରେ ୬ ପୋଲିସ କର୍ମଚାରୀ ନିଲମ୍ବିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ବୁଧବାର ରାତିରେ ଟାଉନ ଥାନା ପୋଲିସ ମାସ୍କ ଚେକିଂ କରୁଥିବା ସମୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପୋଲିସ କର୍ମଚାରୀମାନେ ମିଳିତ ଭାବେ ତଳେ ପକାଇ ମାଡ ମାରୁଥିବା ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ସେହି ଘଟଣାରେ ପୋଲିସ ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କ ହସ୍ତକ୍ଷେପ ଫଳରେ ଆଜି ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ୬ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ସେମାନେ ହେଉଛନ୍ତି ହାବିଲଦାର ପିତାମ୍ବର ବରାଳ, କନେଷ୍ଟବଳ ଜୟନ୍ତ କୁମାର ମାହାଳି, ମହିଳା କନେଷ୍ଟବଳ ସୈାଭାଗ୍ୟଲକ୍ଷ୍ମୀ ଜେନା, ଏବଂ ୩ଜଣ ଓ.ଏ.ପି.ଏଫ.କନେଷ୍ଟବଳ ଗୋପାଳକୃଷ୍ଣ ସିଂ, ହରିଶ୍ଚନ୍ଦ୍ର ହାଂସଦା ଓ ଦୁଖିତ ନାୟକ । ମନୋରଞ୍ଜନ ରାଉତ ନାମକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନିଜ ଗର୍ଭବତୀ ପତ୍ନୀଙ୍କ ସହିତ ଏକ ସ୍କୁଟିରେ ଗରାପୁରରୁ କଟକ-ଚାନ୍ଦବାଲି ରାସ୍ତାରେ ତିନିମୁହାଣି ଛକଦେଇ ଯାଉଥିବା ସମୟରେ ସେଠାରେ ଚେକିଂ କରୁଥିବା ଟାଉନ ଥାନା ପୋଲିସର ଏକ ଟିମ ତାଙ୍କୁ ଅଟକାଇଥିଲେ । ତାଙ୍କ ମୁହଁରେ ମାସ୍କ ନଥିବା ଯୋଗୁଁ ପୋଲିସ କହିବାରେ ମନୋରଞ୍ଜନ ସେଥି ପାଇଁ କ୍ଷମା ମାଗିବା ସହ ଜୋରିମାନା ୫ଶହ ଟଙ୍କା ପୋଲିସକୁ ଦେଇଥିଲେ । କିନ୍ତୁ ଜଣେ ପୋଲିସ କନେଷ୍ଟବଳ ତାଙ୍କ ହାତକୁ ଧରିପକାଇ ସ୍କୁଟିଟି ଥାନାକୁ ଯିବ ବୋଲି କହିବାରେ ସେ ଜୋରିମାନା ଦେବା ପରେ ସ୍କୁଟି କାହିଁକି ଥାନାକୁ ଯିବ ବୋଲି ପ୍ରତିବାଦ କରିଥିଲେ । ଏହି କଥାକୁ ନେଇ ମନୋରଞ୍ଜନ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହେବାରେ ସେଠାରେ ଥିବା ପୋଲିସ କର୍ମଚାରୀମାନେ ଅବସରପ୍ରାପ୍ତ ସେନା କର୍ମଚାରୀ ମନୋରଞ୍ଜନଙ୍କୁ ତଳେପକାଇ ମାଡ ମାରିବା ଘଟଣାକୁ ସ୍ଥାନୀୟ ଜଣେ ଯୁବକ ମୋବାଇଲରେ ରେକଡିଂ କରିଦେଇଥିଲେ । ସେହି ଭିଡିଓ ରେକଡିଂକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବାରେ ପ୍ରକୃତ କଥା ଲୋକଲୋଚନକୁ ଆସିଥିଲା । ମନୋରଞ୍ଜନକୁ ପୋଲିସ ମାଡ ମାରୁଥିବା ବେଳେ ତାଙ୍କ ପତ୍ନୀ ଏଭଳି ମାଡ ନମାରିବାକୁ ପୋଲିସ କର୍ମଚାରୀମାନଙ୍କୁ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ପୋଲିସ କର୍ମଚାରୀମାନେ ତାଙ୍କ କଥା ଶୁଣି ନଥିଲେ । କିନ୍ତୁ ଟାଉନ ଥାନା ପୋଲିସ ଅବସରପ୍ରାପ୍ତ ସେନାକର୍ମଚାରୀ ମନୋରଞ୍ଜନଙ୍କୁ ପୋଲିସ ଗାଡିରେ ଥାନାକୁ ନେଇଆସିବା ସହ ତାଙ୍କ ସ୍କୁଟିକୁ ମଧ୍ୟ ଥାନାକୁ ନେଇ ଆସିଥିଲେ । ଏହାପରେ ଜଣେ ପୋଲିସ ଏସ.ଆଇ.ଙ୍କ ଏତଲା କ୍ରମେ ଥାନା କେଶ ନମ୍ବର ୧୬୨/୨୦୨୧ରେ ମନୋରଞ୍ଜନଙ୍କ ବିରୋଧରେ ଆଇ.ପି.ସି.ର ଦଫା ୩୫୩,୩୩୨,୩୩୩, ୩୫୪(ବି),୨୯୪, ୩୦୭,୫୦୬ ଏବଂ ଅନୁସୂଚିତ ଜାତି ଜନଜାତି ନିର୍ଯ୍ୟାତନା ନିରୋଧ ଆଇନରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଦାୟୀତ୍ୱ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ଦିଆଯାଇଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଗଣମା୍ମମକୁ ସୂଚନା ଦେଇଥିଲେ । କିନ୍ତୁ ଭାଇରାଲ ହୋଇଥିବା ଭିଡିଓଟି ପୋଲିସ ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ଯିବାରୁ ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ଉପରୁ ନିର୍ଦେଶ ଆସିଥିଲା । ତେଣୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର ଜଣେ ହାବିଲଦାର ଓ ୫ଜଣ ପୋଲିସ କନେଷ୍ଟବଳଙ୍କୁ ନିଲମ୍ବନ ଆଦେଶ ଜାରି କରିଥିଲେ । ଏଥିସହିତ ମନୋରଞ୍ଜଙ୍କୁ ଆଜି ଫୈାଜଦାରୀ କାର୍ଯ୍ୟବିଧି ଆଇନର ୪୧ରେ ଥାନାରୁ ଜାମିନ ଦେଇଛି ପୋଲିସ । ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ