ପୂର୍ବ ଇଣ୍ଡୋନେସିଆରେ ୬. ୫ ତୀବ୍ରତା ସମ୍ପନ୍ନ ଭୂମିକମ୍ପ
ଜାକର୍ତା: ଗୁରୁବାର ଦିନ ପୂର୍ବ ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପରେ ୬. ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି, କିନ୍ତୁ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକମ୍ପବିଜ୍ଞାନୀମାନେ କହିଛନ୍ତି ।
ସ୍ଥାନୀୟ ସମୟ ସକାଳ ୮: ୪୬ରେ ମାଲୁକୁ ପ୍ରଦେଶର ଆମ୍ବାନ ଉତ୍ତରପୂର୍ବ ଉପକୂଳ ଠାରୁ ସମୁଦ୍ର ମଧ୍ୟକୁ ପ୍ରାୟ ୩୭ କିଲୋମିଟର ଦୂର ଏବଂ ଭୂଗର୍ଭର ୨୯ କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍ ସର୍ଭେ କହିଛି । ସମ୍ପୃକ୍ତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଏବଂ ମୃତାହତଙ୍କ ସଂଖ୍ୟା ହଠାତ୍ ଜଣାପଡ଼ି ନାହିଁ । ଅତୀତରେ ମଧ୍ୟ ଏହି ଅଞ୍ଚଳରେ ଭୟାନକ ଭୂମିକମ୍ପମାନ ହୋଇଛି ।
ଆମ୍ବାନର ଜଣେ ଗଣମାଧ୍ୟମ ପ୍ରତିନିଧି କହିଛନ୍ତି, ସପରିବାର ଘରେ ଶୋଇଥିବା ବେଳେ ଘର କମ୍ପିଲା । ପ୍ରକୃତରେ ଭୂକମ୍ପଟି ଖୁବ୍ ଶକ୍ତିଶାଳୀ ଥିଲା । ଆମେ ଘରୁ ଦୌଡ଼ି ପଳାଇଲୁ ଏବଂ ଦେଖିଲୁ ପଡ଼ୋଶୀମାନେ ବି ଦୌଡୁଛନ୍ତି । ସମସ୍ତେ ଛାନିଆ? ଟେଟାନିକ୍ ପ୍ଲେଟ ଗୁଡ଼ିକ ପରସ୍ପର ସହ ଧକ୍କା ଖାଉଥିବା ସ୍ଥାନ ପେସିଫିକ୍ ରିଙ୍ଗ୍ ଫାୟାରରେ ଅବସ୍ଥିତ ହୋଇଥିବାରୁ ଇଣ୍ଡୋନେସିଆରେ ବରାବର ଭୂମିକମ୍ପ ଅନୁଭୂତ ହୋଇଥାଏ । ରିଙ୍ଗ୍ ଅଫ୍ ଫାୟାର୍ ଠାରେ ସବୁବେଳେ ଭୂକମ୍ପୀୟ କାର୍ଯ୍ୟକଳାପ ଚାଲିଥାଏ ।


