ପୂର୍ବ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କ ଦାଉଦ୍ ସହଯୋଗୀ ସହିତ ସମ୍ପର୍କ !
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପୂର୍ବ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ସମନ କରିଛି । ମାଫିଆ ଡନ୍ ଦାଉଦ୍ ଇବ୍ରାହିମ୍ର ସହଯୋଗୀ ଗ୍ୟାଙ୍ଗ୍ଷ୍ଟର୍ ଇକବାଲ୍ ମିର୍ଚିର ପତ୍ନୀ ସହିତ ଫ୍ରପୁଲ୍ଲଙ୍କ ସମ୍ପତ୍ତି ଚୁକ୍ତି ନେଇ ଇଡି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ପ୍ରଫୁଲ୍ଲଙ୍କୁ ଆସନ୍ତ ୧୮ ତାରିଖ ଦିନ ଜେରା କରାଯିବ । ପ୍ରଫୁଲ୍ଲଙ୍କର ସିଜେ ହାଉସରେ ଦୁଇଟି ଫ୍ଲାଟ୍ ଇକବାଲ ନାମରେ ରହିଛି ଏବଂ ୨୦୦୭ରେ ସେ ଏହି ସମ୍ପତ୍ତିର ବିକାଶ ପାଇ ଇକବାଲର ପତ୍ନୀ ସହିତ ଏକ ଚୁକ୍ତି କରିଥିଲେ । ଇକ୍ୱାଲ ସହିତ ମିଳିତ ମାଲିକାନାରେ ରହିବା ପାଇଁ ପ୍ରଫୁଲ୍ଲ ଏକ ଚୁକ୍ତିରେ ଦସ୍ତଖତ କରିଥିବାରୁ ତାଙ୍କର ସମ୍ପତ୍ତି ମଧ୍ୟ ଜବତ ହେବ ବୋଲି ଜଣାପଡ଼ିଛି । ପ୍ରଫୁଲ୍ଲ କହିଛନ୍ତି ଯେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ଅନ୍ୟପକ୍ଷରେ ଇକବାଲ ମେନନ୍ ଓରଫ୍ ମିର୍ଚିର ୩୫ଟି ସମ୍ପତ୍ତି ଜବତ ପାଇଁ ଇଡି ଯୋଜନା କରୁଛି । ଏଥିରେ ପ୍ରଫୁଲ୍ଲଙ୍କ ସହିତ ଇକବାଲର ମିଳିତ ସମ୍ପତ୍ତି ମଧ୍ୟ ସାମିଲ ଅଛି । ମହାରାଷ୍ଟ୍ରରେ ଏବେ ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଚାଲିଥିବା ବେଳେ ବରିଷ୍ଠ ଏନସିପି ନେତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି ।