ପୂର୍ବ ଶତ୍ରୁତାରୁ ବାପ ଓ ପୁଅଙ୍କୁ ମାଡ଼, ଥାନାରେ ଅଭିଯୋଗ
ବ୍ରହ୍ମଗିରି(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାପ ପୁଅଙ୍କୁ ମାଡ଼ ହୋଇଛି । ବାପର ମୁଣ୍ଡ ଫାଟିଥିବା ବେଳେ ପୁଅ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି । ଏ ନେଇ ବ୍ରହ୍ମଗିରି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଖଜୁରିଆ ଗ୍ରାମରେ ଭଗବାନ ବେହେରା ଓ ଗୟା ବେହେରାଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗତ ୨୮ ତାରିଖରେ ଭଗବାନଙ୍କ ପୁଅ ବାନାମ୍ବର ଶୌଚ ହେବାକୁ ଯାଇଥିବା ବେଳେ ଗୟା ବେହେରାଙ୍କ ସମେତ ଅନ୍ୟ କେତେଜଣ ଯୁବକ ସଂଘବଦ୍ଧ ହୋଇ ତାଙ୍କୁ ମାଡ଼ ମାରିଥିଲେ । ଖବର ପାଇ ଭଗବାନ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରିବାକୁ ଯିବା ସମୟରେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ । ସେଥିରେ ଭଗବାନଙ୍କର ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା । ଡାକ୍ତରଖାନାରେ ଭଗବାନ ଚିକିତ୍ସିତ ହେବା ସହିତ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ଏ ନେଇ ମାମଲା ରୁଜୁ ହୋଇନଥିବା ଜଣାପଡିଛି ।