ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି କୋଟିନଡ଼ା ଗ୍ରାମରେ ଗୋଷ୍ଠୀ ସଂଘର୍ଷ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଘଟିଥିବା ଗୋଷ୍ଠୀ ସଂଘର୍ଷ ଏବଂ ଘରେ ପଶି ଲୁଟ ମାମଲା ରେ ଦିଗପହଣ୍ଡି ପୋଲିସ ୪ ଅଭିଯୁକ୍ତ ଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ମାନେ ହେଲେ ନରସିଂହ ସ୍ୱାଇଁ, ମିଟୁ ସ୍ୱାଇଁ, ଭୋଳା ସ୍ୱାଇଁ ଏବଂ ସୁଶାନ୍ତ ସ୍ୱାଇଁ।ଥାନା ମାମଲା ନଂ.୭୬/୨୩ ଦଫା – ୧୪୭/୧୪୮/୧୪୯/୩୨୩/୩୨୪/୩୦୭/୩୭୯/୪୨୭/୨୯୪/୫୦୬ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଶନିବାର ସକାଳ ପ୍ରାୟ ୭ ଟା ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ପ୍ରାୟ ୧୬ ଜଣ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ଗାଁ ରେ ମାର୍ଚିଂ କରିବା ସହ ଗ୍ରାମର ତବତି ସ୍ୱାଇଁ ଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଲୁଟ ପାଟ କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରାଯିବା ସହ ତାଙ୍କ ମୁଣ୍ଡ କୁ ଜଣେ ଅଭିଯୁକ୍ତ କାତି ରେ ହାଣି ଦେଇଥିଲେ।ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି। ଅପରପକ୍ଷରେ ନରସିଂହ ସ୍ୱାଇଁ ଙ୍କ ଏତଲା କ୍ରମେ ଥାନା ମାମଲା ନଂ.୭୭/୨୩ ଦଫା – ୨୯୪/୩୨୩/୫୦୬/୩୪ ଆଇ ପି ସି ଅନୁଯାୟୀ ଅନ୍ୟ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।ଆକ୍ରମଣ ପ୍ରତି ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଗାଁ ରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।