ପୃଥକ ପୃଥକ ଦୁର୍ଘଟଣା ରେ ୩ ମୃତ : ୨ଗୁରୁତର,୨ଆହତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କ୍ଷେତ୍ରବାର୍ଷି ମହାରଣା ଓ କୁଳମଣି ଦାସ। ୨ ଜଣ ଆହତଙ୍କୁ ଠାକୁମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଶୁକୃଲି ଗାଁରେ ବିବାହ ଉତ୍ସବ ଥିଲା । ବରଯାତ୍ରୀମାନେ ବିବାହ ଭୋଜିରେ ଯୋଗ ଦେଇ ଗତକାଲି ରାତି ପ୍ରାୟ ୩ଟା ସମୟରେ ବୋଲେରୋରେ ଗୋଡ଼ଭଙ୍ଗାରୁ ଶୁକୃଳି ଫେରୁଥିଲେ। ଏହି ସମୟରେ ତରାମରା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯାଇଥିଲା । ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଗାଡ଼ିରେ ଡ୍ରାଇଭର ସମେତ ୮ ଜଣ ଥିଲେ। ସେହି ପରି ଗତକାଲି ସନ୍ଧ୍ୟା ୮ ଘଟିକା ସମୟରେ କରଞ୍ଜିଆ ଯଶିପୁର ରାସ୍ତାର ବାମନାଶାଳ ନିକଟରେ ବୋଲେରୋ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଙ୍କ ମୃତ୍ୟ ଘଟିଥିଲା ଏବଂ ବୋଲେରୋ ଚାଳକ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବାଇକ ଚାଳକ ଙ୍କ ବେକରୁ ଉପର ଅଂଶ ସମ୍ପୂର୍ଣ ନଷ୍ଟ ହୋଇଯାଇଛି।ଏବଂ ବୋଲେରୋ ଓ ବାଇକ ସ୍ୱମ୍ପୂର୍ଣ ନଷ୍ଟ ହୋଇଯାଇଛି ଯାହା ଫଳରେ ମୃତକ ଙ୍କ ପରିଚୟ ମିଳିପାରିନାହିଁ ।


