ପୃଥକ ପୃଥକ ଦୁର୍ଘଟଣା ; ୨ ମୃତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗତକାଲି ବିଳମ୍ବିତ ରାତିରେ ଛତ୍ରପୁର ଓ ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଠାରେ ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ଦୀପକ କୁମାର ବେହେରା ଏବଂ ଅନ୍ୟଜଣେ ଏଚ୍‌.ବୁରୁଡି ଗ୍ରାମର ନୀଳକଣ୍ଠ ନାହାକ ବୋଲି ଜଣାପଡିଛି । ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟନଗର ଛକ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ତଥା କେ.ଆର୍ଯ୍ୟପଲ୍ଲୀ ଗ୍ରାମର ଦୀପକ କୁମାର ବେହେରା (କାହ୍ନୁ)ର ମୃତ୍ୟୁ ହୋଇଥିଲା । ଗତକାଲି ରାତିରେ ଛତ୍ରପୁର ଠାରେ ଲୋକକଳା ମହୋତ୍ସବ ଦେଖି କୌଣସି କାର୍ଯ୍ୟରେ ଓଡି୦୭ଏଫ୍‌-୫୦୧୨ ନମ୍ବର ଫେସନ ଫ୍ରୋ ବାଇକ୍‌ରେ ଦୀପକ ରମ୍ଭା ଅଞ୍ଚଳକୁ ଯାଇଥିଲେ । କାମ ସାରି ଦୀପକ ସେଠାରୁ ଗ୍ରାମକୁ ଫେରୁଥିବା ବେଳେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଜାତୀୟ ରାଜପଥ ମଧ୍ୟରେ ଥିବା ଡିଭାଇଡରକୁ ଦୀପକ ପିଟି ହୋଇ ଘଟଣା ସ୍ଥଳେ ମୃତ୍ୟୁବରଣ କରିଥିଲା । ସେହିପରି ସେହି ରାତିରେ ଅନ୍ୟ ଏକ ଦୁର୍ଘଟଣା ରମ୍ଭା ଥାନା ଅନ୍ତର୍ଗତ ଏଚ୍‌.ବୁରୁଡି ଛକ ୧୬ ନମ୍ବର ଜାତୀୟ ରାଜପଥରେ ହୋଇଥିଲା । ସାଇକେଲ ଆରୋହୀ ଏଚ୍‌.ବୁରୁଡି ଗ୍ରାମର ନୀଳକଣ୍ଠ ନାହାକଙ୍କୁ ଏକ ଗାଡି ଧକ୍କା ଦେଇ ଫେରାର ହୋଇଥିଲା । ଘଟଣା ସ୍ଥଳେ ହିଁ ନୀଳକଣ୍ଠଙ୍କ ମୃତ୍ୟୁ ହୋଇଥିଲା । ଉଭୟଙ୍କ ମୃତ ଶରୀରକୁ ପୁଲିସ ଓ ଦମକଳ ବାହିନୀ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ