ପୃଥକ ପୃଥକ ସ୍ଥାନରେ ବାଇକ ଦୁର୍ଘଟଣାରେ ୩ ମୃତ, ୩ ଗୁରୁତର
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସହର ନିକଟସ୍ଥ ଚାନ୍ଦିପୁର ରାସ୍ତା ଓ ତାମୁଳିଆ ଓଭର ବ୍ରିଜରେ ବାଇକ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କୁ ଗୁରୁତର ଭାବରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯିବାର ଜଣାପଡିଛି । ଅପରାହ୍ନ ୨.୩୦ ସମୟରେ ବାଲେଶ୍ୱର ସହରର ଚାନ୍ଦିପୁର ରାସ୍ତାରେ ସ୍କୁଟି ଏବଂ ପଲସର ମଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ଚାନ୍ଦିପୁର ଥାନା ପୋଲିସ ଉଭୟ ଗାଡିକୁ ଜବତ କରିବା ସହିତ ମୃତ ଦେହ ବ୍ୟବଚ୍ଛେବ ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଘଟଣାରୁ ପ୍ରକାଶ, ରୂପସା ଥାନା ଅଧିନସ୍ଥ କେନ୍ଦୁଦାଙ୍ଗୀରି ଗ୍ରାମର ପରମାନନ୍ଦ ସିଂଙ୍କ ପୁତ୍ର ଭକ୍ତବନ୍ଧୁ ସିଂ (୨୬) ଚାନ୍ଦିପୁରରୁ ଫେରୁଥିବା ବେଳେ ନୀଳଗିରି ବରହମପୁର ଥାନା ଅଧିନସ୍ଥ ଅଶ୍ୱନବଣୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ପୁତ୍ର ପପୁ ସିଂ (୨୦) ଏବଂ ଉକ୍ତ ଗ୍ରାମର ବ୍ରହ୍ମାନନ୍ଦ ସିଂ (୨୬) ଏବଂ ଜଣେ ମହିଳାଙ୍କୁ ବସାଇ ଗୋଟିଏ ପଲସରରେ ଚାନ୍ଦିପୁରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଚାନ୍ଦିପୁର ରାସ୍ତାର ଗଛମାଳିଆ ନିକଟରେ ଦ୍ରୁତ ଗତି ଯୋଗୁଁ ଗାଡିର ନିୟନ୍ତ୍ରଣ ହରାଇବା ଦ୍ୱାରା ସ୍କୁଟି ସହିତ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୩ ଜଣ ରକ୍ତ ଜୁଡୁବୁଡୁ ହୋଇ ଅଚେତ ହୋଇପଡିଥିବା ବେଳେ ସ୍ଥାନୀୟ ଲୋକମାନେ ୧୦୮ ସେବା ଦ୍ୱାରା ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ଜଣାପଡିଛି । ସେହିପରି ଶୁକ୍ରୁବାର ମଧ୍ୟାହ୍ନ ୧.୨୦ ମିନିଟ୍ ସମୟରେ ସହରର ମୁଖ୍ୟ ଓଟି ରାସ୍ତାରେ ତାମୁଳିଆ ନିକଟସ୍ଥ ଓଭର ବ୍ରିଜରେ ଗୋଟିଏ ବୁଲେଟ୍ ଏବଂ ପଲସର ଗାଡି ଧକ୍କାରେ ୩ ଜଣ ଗୁରୁତର ହୋଇ ପ୍ରଥମେ ଜିଲା ଚିକିତ୍ସାଳୟ ପରେ କଟକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ଟାଉନଥାନା ଅଧିନସ୍ଥ ମାନସିଂ ବଜାରର ସଞ୍ଜୟ ଋଣା (୩୮) ବୁଲେଟ୍ରେ ଯାଉଥିଲା ବେଳେ ଖନ୍ତାପଡା ଥାନା ଅଧିନସ୍ଥ ବିକାଶ ପ୍ରଧାନ (୨୯) ଏବଂ ତାଙ୍କ ସାଙ୍ଗ ପଲସର ଗାଡିରେ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଗୁରୁତର ଭାବେ ପଡିଥିଲା ବେଳେ ସ୍ଥାନୀୟ ଲୋକ ଟ୍ରାଫିକ୍ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ଋଣସିଂ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାର ଜଣାପଡିଛି ।