ପୃଥକ ପୃଥକ ୩ ଟି ଦୁର୍ଘଟଣା ରେ ଜଣେ ମୃତ;ତିନି ଗୁରୁତର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଶୁକ୍ରବାର ଅପରାହ୍ନରେ ସମୟରେ ଭଞ୍ଜନଗର ଥାନା ଇଲାକାରେ ୩ ଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଭାବେ ଆହତ ହୋଇ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସହର ଉପକଣ୍ଠ ଗଣ୍ଡିଶୂଳା ନିକଟରେ ଏକ ବସ୍ ସହ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ନୂଆଗାଁ ଗ୍ରାମର ରୀନା ସାହୁ(୩୩) । ରୀନାଙ୍କ ବାପ ଘର ଖୁଖୁଣ୍ଡିଆରେ ହୋଇଥିବା ବେଳେ ବେଲଗୁଣ୍ଠା ଗ୍ରାମର ମଙ୍ଗୁଳୁ ପାତ୍ର(୩୪)ଙ୍କ ସହିତ ସୋରାଦେବୀ ମନ୍ଦିର ପଟକୁ ଯାଉଥିଲେ । ଏହି ସମୟରେ ବାଟରେ ଗଣ୍ଡିଶୂଳ ଗ୍ରାମ ଛକ ନିକଟରେ ଏକ ବସ୍ ପାର୍ଶ୍ବକୁ ଧକ୍କା ହୋଇ ଉଭୟ ରାସ୍ତା ଉପରେ ଛିଟିକି ପଡିଥିଲେ । ଯାହା ଫଳରେ ରୀନା ବସ୍ ଚକା ତଳେ ପଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମଙ୍ଗୁଳୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାକୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନା ଏବଂ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍ ରୀନାର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଗୃହରେ ରଖିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ ଟି ପଳାଇ ଯାଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । ସେହିପରି ବ୍ରହ୍ମପୁର ସଦର ଥାନା ବରପଲ୍ଲୀ ଗ୍ରାମର ସଞ୍ଜୟ ଦାସ ନିଜ ବାଇକ୍ ରେ ଯାଉଥିବା ବେଳେ ଭେରେଡା ଛକ ଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି । ତୁରନ୍ତ ସଞ୍ଜୟକୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହପରି ଭଞ୍ଜନଗର ଥାନା ଗମ୍ଭାରୀ ଗୋଚ୍ଛାରେ ଏକ ପଥର ଉପରେ ବାଇକ୍ ଚଢି ଯିବାରୁ ଜଣେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଲଣ୍ଡେଇସାହିର ଗୋପାଳ ଚନ୍ଦ୍ର ଗୌଡଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଗୌଡ ନିଜ ବନ୍ଧୁଙ୍କ ସହ ଡହ ବୁଲିବା ପାଇଁ ଯାଇ ଫେରୁଥିବା ବେଳେ ଗମ୍ଭାରୀଗୋଚ୍ଛା ଠାରେ ଏକ ପଥର ଉପରେ ତାଙ୍କ ବାଇକ ଚଢି ଯିବାରୁ ଗୁରୁତର ଭାବେ ଆହାତ ହୋଇଥିଲେ । ୧୦୮ ଆମ୍ଭୁଲାନ୍ସ୍ ଯୋଗ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ