ପୃଥକ ସଡ଼କ ଦୁର୍ଘଟଣାରେ ୪ ମୃତ
ମାହାଙ୍ଗା/କୁଆଖିଆ/ଜାରକା(ଜୁଗାବ୍ଦ ନ୍ୟୁଜ୍): କଟକ-ଚାନ୍ଦବାଲି ରାସ୍ତାର ଖରାଖିଆ ଠାରେ ପିକ୍ଅପ୍ ଭ୍ୟାନ-ବାଇକ ଧକ୍କାରେ ଦୁଇ ଜଣଙ୍କ ପ୍ରାଣହାନୀ ଘଟିଛି । ସେମାନେ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ପୋଡ଼ାମରାଇ ଗାଁର ନୃସିଂହ ରାଉତ (୫୭) ଓ ତାଙ୍କର ଶଳା ବରାହୀପୁର ଗାଁର ମହେନ୍ଦ୍ର ରାଉତ (୫୧) । ମିଳିଥିବା ସୂଚନାନୁଯାୟୀ, ନୃସିଂହ ଓ ମହେନ୍ଦ୍ର ବାଇକରେ ଯିବା ବେଳେ ଖରାଖିଆ ଛକଠାରେ ଏକ ପିକ୍ଅପ ଭ୍ୟାନ ସହ ତାଙ୍କ ବାଇକ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲ ପଠାଯାଇଥିଲା । ମେଡିକାଲରେ ତାଙ୍କ ମୃତ୍ୟୁ ଘଟିଥିଲା । ନୃସିଂହ ରାଉତ ଏରକଣାରେ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି ।
ସେହିପରି କୁଆଖିଆ ଥାନା ନରସିଂହପୁର ପଞ୍ଚାୟତ ନୂଆ ମିର୍ଜାପୁର ରାସ୍ତାରେ ଶନିବାର ରାତିରେ ବାଇକ ଧକ୍କା ଦେବାରୁ ଗ୍ରାମର ରାଜକିଶୋର ମଳିକ(୫୫)ର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶଯେ, ରାଜକିଶୋର ଅଟୋରୁ ଓହ୍ଲାଇ ଘରକୁ ଯିବାକୁ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁଆଖିଆ ଥାନା ପୁଲିସ ଖବରପାଇ ଡାକ୍ତରଖାନାରେ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।
ଅପରପକ୍ଷେ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ସାରୋଇ ନିକଟରେ ରବିବାର ସନ୍ଧ୍ୟାରେ ଏକ ପିକଅପ ଭ୍ୟାନ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି । ଆଜି ସନ୍ଧ୍ୟାରେ ପାଣିକୋଇଲି ଥାନା ଶଙ୍ଖଚିଲ୍ଲାର ତିନିଜଣ ଯୁବକ ଏକ ପଲସର ବାଇକରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନ ସହିତ ମୁହାଁ ମୁହଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ବାପି କାଣ୍ଡି(୨୯)ଙ୍କ ମୃତ୍ୟୁ ହୋଇଥିଲା । ଭାଲୁ ନାୟକ(୩୨) ଓ ସନ୍ତୋଷ ପାତ୍ର (୨୬) ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ବଡଚଣା ଡାକ୍ତରଖାନାରେ ଭର୍ତୀ କରାଯାଇଥିଲା । ଭାଲୁର ଅବସ୍ଥା ଗୁରୁତରଥିବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଧର୍ମଶାଳା ପୁଲିସ ତଦନ୍ତ ଚଳାଇଛି ।