ପୃଥିବୀର ୭୦ ପ୍ରତିଶତ ବାଘ ଭାରତରେ
ନୂଆଦିଲ୍ଲୀ : ବାଘ ପ୍ରକୃତିର ଏକ ଅମୂଲ୍ୟ ବରଦାନ । ଏହାର ବଂଶ ବୃଦ୍ଧି ବନାଞ୍ଚଳ ଭାରସାମ୍ୟ ରକ୍ଷାରେ ସହାୟକ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ଆସନ୍ତାକାଲି ବିଶ୍ଵ ବ୍ୟାଘ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ ବ୍ୟାଘ୍ର ଗଣନାର ବିସ୍ତୃତ ରିପୋର୍ଟ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି । ଭାରତରେ ବାଘ ଓ ଅନ୍ୟାନ୍ୟ ହିଂସ୍ର ଜନ୍ତୁ ଆମର ଏକ ଅମୂଲ୍ୟ ସମ୍ପଦ । ଭୂଖଣ୍ଡ ଭଳି ଅନ୍ୟାନ୍ୟ ପ୍ରତିବନ୍ଧକ ସତ୍ଵେ ବୃକ୍ଷ ଲତା ଓ ବନ୍ୟାପ୍ରାଣୀ ସମ୍ବେଦନଶୀଳତା ଆମ ଦେଶ ସଂସ୍କୃତିର ଏକ ଅଂଶବିଶେଷ । ସେଦୃଷ୍ଟିରୁ ଦେଶରେ ଶତକଡା ୮ଭାଗ ଜୈବବିବିଧତା ରହିଛି । ବନ୍ୟପ୍ରାଣୀ ଆମର ପ୍ରାକୃତିକ ସମ୍ପଦ ନହେଲେ ମଧ୍ୟ ପୃଥିବୀର ଶତକଡା ୭୦ଭାଗ ବାଘ ଆମ ଦେଶରେ ରହିବା ଏକ ପ୍ରଶଂସନୀୟ ବିଷୟ । ପୃଥିବୀର ବାଘ ଜୈବମଣ୍ଡଳୀ ଥିବା ସମସ୍ତ ୧୩ଟି ଦେଶ ସହ ବାଘ ସଂଖ୍ୟା ବୃଦ୍ଧି ଦିଗରେ ଭାରତ ଅନବରତ ଉଦ୍ୟମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି । ମଣିଷ ସହ ସଂଘର୍ଷ ଯୋଗୁଁ ବନ୍ୟପ୍ରାଣୀଙ୍କର ଜୀବନହାନି ରୋକିବା ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେମାନଙ୍କୁ ଜଙ୍ଗଲ ମଧ୍ୟରେ ଆହାର ଓ ଜଳ ଯୋଗାଇବାକୁ ଏହି ଯୋଜନାରେ ବ୍ୟବସ୍ଥା କରାଯାଉଛି । ଦେଶରେ ପ୍ରଥମ ଥର ପାଇଁ ଏଥିପାଇଁ ଲିଡାର ଭିତ୍ତିକ ଜ୍ଞାନକୌଶଳର ସହଯୋଗ ନିଆଯିବ । ଲିଡାର ପଦ୍ଧତି ସର୍ବକ୍ଷେଣରେ ଲକ୍ଷ୍ୟ ସ୍ଥଳକୁ ଲେଜର ଲାଇଟ ଦ୍ଵାରା ଆଲୋକିତ କରି ଦୂରସମ୍ବେଦୀ ଯନ୍ତ୍ର ସାହାଯ୍ୟରେ ଏହାର ପ୍ରତିଫଳନ ମପାଯାଇଥାଏ । ବାଘ ଗଣନା ଉପରେ ଆଲୋକପାତ କରି କହିଛନ୍ତି ଯେ, ମହାବଳ ବାଘ ସହ ଅନ୍ୟାନ୍ୟ ପ୍ରଜାତିର ବାଘମାନଙ୍କର ମଧ୍ୟ ହିସାବ କରାଯାଇଛି । ଦେଶର ଶତକଡା ୩୦ଭାଗ ବାଘ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ଥିବାରୁ ବିଶ୍ଵର ବ୍ୟାଘ୍ର ସଂରକ୍ଷଣ ସୁନିଶ୍ଚିତ ମାନକ ସିଏଟିଏସ ଫ୍ରେମୱାର୍କର ସହାୟତା ଲୋଡାଯାଇଛି । ଏହାଫଳରେ ଅବଶିଷ୍ଟ ୩୦ ଭାଗ ଅଞ୍ଚଳ ମଧ୍ୟ ଦେଶର ୫୦ଟି ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିବ । ଏହି ଅବସରରେ ଉଦବୋଧନ ଦେଇ ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି ଯେ, ଦେଶରେ ବନ୍ୟପ୍ରାଣୀ ଓ ମଣିଷଙ୍କ ମଧ୍ୟରେ ହେଉଥିବା ସଂଘର୍ଷକୁ ଏଡାଇବା ସମ୍ଭବ, କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅସମ୍ଭବ । ବ୍ୟାଘ୍ର ସମ୍ପଦ ବୃଦ୍ଧି ଦିଗରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଅନବରତ ପ୍ରୟାସ ଯୋଗୁଁ ଯଥେଷ୍ଟ ସଫଳତା ମିଳିପାରିଛି। ଦେଶରେ ୪ର୍ଥ ବିସ୍ତୃତ ବ୍ୟାଘ୍ର ଆକଳନ ରିପୋର୍ଟ ନିମ୍ନୋକ୍ତ ଦୃଷ୍ଟିରୁ ଅନ୍ୟାନ୍ୟ ହିଂସ୍ରଜନ୍ତୁଙ୍କ ଉପସ୍ଥିତି ଉପରେ ମଧ୍ୟ ତର୍ଜମା କରାଯାଇଛି । ପ୍ରଥମଥର ବ୍ୟାଘ୍ରମାନଙ୍କର ଲିଙ୍ଗଗତ ଅନୁପାତ ଗଣନାରେ ସ୍ଥାନ ପାଇଛି । ବ୍ୟାଘ୍ର ସମ୍ପଦ ଉପରେ ନୃତାତ୍ତ୍ଵିକ ପ୍ରଭାବ ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରାଯାଇଛି । ପ୍ରଥମଥର ପାଇଁ ବ୍ୟାଘ୍ର ଅଭୟାରଣ୍ୟରେ ବାଘମାନଙ୍କ ନିର୍ଦ୍ଦିଷ୍ଟ ଉପସ୍ଥିତି ଅନୁଧ୍ୟାନ କରାଯାଇଛି । ବାଘ ଥିବା ଜୈବମଣ୍ଡଳ ଦେଶଗୁଡ଼ିକର ସରକାରଙ୍କ ସହ ରୁଷର ସେଣ୍ଟପିଟର୍ସବର୍ଗଠାରେ ଅନୁଷ୍ଠିତ ସମ୍ମିଳନୀରେ ଆଗାମୀ ୨୦୧୨ସୁଦ୍ଧା ବାଘ ସଂଖ୍ୟା ଦ୍ଵିଗୁଣିତ କରିବାକୁ ସଂକଳ୍ପ ନିଆଯାଇଥିଲା । ଏହି ସମ୍ମିଳନୀରେ ଜୁଲାଇ ୨୯କୁ ବିଶ୍ଵ ବ୍ୟାଘ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯିବା ପରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି। ଭାରତ ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ବାଘ ସଂଖ୍ୟା ଦ୍ଵିଗୁଣିତ କରିଥିବା ଗତବର୍ଷ ବିଶ୍ଵ ବ୍ୟାଘ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଦେଶରେ ବାଘ ସଂଖ୍ୟା ବର୍ତ୍ତମାନ ୨୯୬୭ ଥିବା ବେଳେ ଏହା ବିଶ୍ଵର ମୋଟ ବାଘ ସଂଖ୍ୟାର ୭୦ ଭାଗ । ବାଘ ଗଣନା ପାଇଁ ଆମ ଦେଶରେ କରାଯାଇଥିବା କ୍ୟାମେରାଭିତ୍ତିକ ସର୍ଭେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଆଜି ଉନ୍ମୋଚିତ ହୋଇଥିବା ରିପୋର୍ଟରେ ବାଘଙ୍କ ବାସସ୍ଥଳୀ ଏବଂ ଘନତ୍ବ ଆଧାରରେ ବାଘର ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି । ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ଭାରତରେ ବାଘମାନଙ୍କ ସ୍ଥିତି ସମ୍ପର୍କିତ ରିପୋର୍ଟ ଏବଂ ୨୦୦୬, ୨୦୧୦ ଓ ୨୦୧୪ ରିପୋର୍ଟ ତଥ୍ୟର ବିଶ୍ଳେଷଣ କରାଯାଇ ବାଘମାନଙ୍କ ସଂଖ୍ୟା ବୃଦ୍ଧି ଓ ହ୍ରାସ ଓ କେଉଁ ଅଞ୍ଚଳରେ କେତେ ବୃଦ୍ଧି ହୋଇଛି, ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରାଯାଇଛି । ବାଘ ରହୁଥିବା କେଉଁ କେଉଁ ଅଞ୍ଚଳଗୁଡିକ ଅଧିକ ସମ୍ବେଦନଶୀଳ ଓ ସଂରକ୍ଷଣର ଆବଶ୍ୟକତା ରହିଛି ତାହା ଉପରେ ମଧ୍ୟ ତର୍ଜମା କରାଯାଇଛି ।


