ପୃଥ୍ୱୀରାଜ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ

ବଲାଙ୍ଗିର-(ଯୁଗାବ୍ଦ ନ୍ୟୁଜ) ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ଏହି ପ୍ରତିଯୋଗୀତା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ତ୍ତିକେଶ୍ୱର ଲେଙ୍କାଙ୍କ ନିର୍ଦ୍ଦେଶରେ ତଥା ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିଳମଣୀ ପଟେଲଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । ଚଳିତ ବର୍ଷ ଏହି ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍କୁଲ ରୁ ୧୬ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ପୂର୍ବତନ ବିତ୍ତ ଅଧିକାରୀ ସନାତନ ଠାକୁର, ସମ୍ମାନୀତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ବି.ଇ.ଓ, ପୁଇଁନ୍ତଳା ନେପାଳ ଚନ୍ଦ୍ର ବାଗ, ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା ର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ମଞ୍ଚାସୀନ ଥିଲେ । ବିଚାରକ ଭାବେ କୁତୁର୍ଲା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସିନେ ଅଭିନେତା ରତନ ମେହେର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ୍ ପଦ୍ମଚରଣ ଆଚାର୍ଯ୍ୟ ଓ ନାଟ୍ୟକାର ବିଜୟ ତ୍ରିପାଠୀ ଯୋଗ ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ, ପୁଇଁନ୍ତଳାର ବିଜ୍ଞାନ ନାଟକ ‘ସମ୍ଭାବନା’ ପ୍ରଥମ ସ୍ଥାନ ଅଧିକାର କରି ଅଗଷ୍ଟ ମାସ ୭ ତାରିଖରେ ପୃଥ୍ୱୀରାଜ ହାଇସ୍କୁଲ, ବଲାଙ୍ଗିର ଠାରେ ହେବାକୁ ଥିବା ଜୋନାଲ ସ୍ତରକୁ ମନୋନୀତ ହୋଇଥିଲା । ଦ୍ୱିତୀୟ ସ୍ଥାନ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଏଁଲାଚୁଆଁ ର ନାଟକ ‘ଚେଲା’ ଓ ଏସ.ଡି.ଏନ ହାଇସ୍କୁଲ, ଲାଠୋର ର ନାଟକ ‘ଅଳିଆ ବିଷ’ ତୃତୀୟ ସ୍ଥାନ ଅଧିକାର କରିଥିଲା । ଶ୍ରେଷ୍ଠ ଅଭିନେତା ଭାବେ ‘ବାପୁ’ ଚରିତ୍ରରେ ଓଡିଶା ଆଦର୍ଶ ବିଦ୍ୟାଳୟ, ପୁଇଁନ୍ତଳାର ଛାତ୍ରୀ ସୟାନୀ ଦଳାଇ ନାଟକ ‘ସମ୍ଭାବନା’, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଉର୍ମିଳା’ ଚରିତ୍ରରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଏଁଲାଚୁଆଁର ଛାତ୍ରୀ ଲିସା ରାଣୀ ସାହୁ ନାଟକ ‘ଚେଲା’, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ, ପୁଇଁନ୍ତଳାର ଶୁଭ୍ରାଂଶୁ ଶେଖର ପରିଡା, ଶ୍ରେଷ୍ଠ ପାଣ୍ଡୁଲିପି ଭାବେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ର ଶିକ୍ଷୟିତ୍ରୀ ମଧୁମିତା ନନ୍ଦ, ଶ୍ରେଷ୍ଠ ଜୁରୀ ଆୱାର୍ଡ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ର ଅର୍ପିତ ନନ୍ଦ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଜ୍ଞାନ ସୋସାଇଟିର ସମସ୍ତ କର୍ମକର୍ତ୍ତା ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ । ଶେଷରେ ଧନ୍ୟବାଦ ଦେଇଥିଲେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ