ପେଟରେ ମାଂସ ପିଣ୍ଡୁଳା ବଢୁଥିବା ମାମାଙ୍କ ଚିକିତ୍ସା ଦାବି, ଅତରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଜୟ ଜଗନ୍ନାଥ ଗ୍ରୁପ୍
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଷଣ୍ଢମୂଳ ଗ୍ରାମର ଭୁଜବଳ ସାହିର ଝୁମୁରୀ ନାୟକଙ୍କ ଦ୍ୱିତୀୟ କନ୍ୟା ମାମା ନାୟକ(୬)ର ପେଟରେ ମାଂସ ପିଣ୍ଡୁଳା ଅସ୍ୱାଭାବିକ ଭାବେ ବଢି ଚାଲିଛି । ଫଳରେ ସେ ଯନ୍ତ୍ରଣା ଭୋଗୁଛି । ଅନ୍ୟପକ୍ଷରେ ଝୁମୁରୀ ଏବଂ ତିନୋଟି ସନ୍ତାନକୁ ଛାଡି ସ୍ୱାମୀ ନିରଞ୍ଜନ ନାୟକ କୁଆଡେ ଚାଲିଯାଇଛି । ପରିବାର ଅର୍ଥ ଅଭାବରୁ ମାମାର ଚିକିତ୍ସା ବାଧକ ସାଜିଛି । ଏନେଇ ମାମାର ଚିକିତ୍ସା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ମାମାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଦାବି କରି ବ୍ରହ୍ମପୁରର ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ବୁଧବାର ଛତ୍ରପୁର ଠାରେ ଜିଲ୍ଲାପାଳଙ୍କୁ ଦିନ ତମାମ ଅପେକ୍ଷା କରି ଶେଷରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ସାକ୍ଷତ କରି ମାମାର ଯନ୍ତ୍ରଣା ବିଷୟରେ କହିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିରୁ ସହାୟତା ଯୋଗାଇ ଦେବା ସହ ଉତ୍ତମ ଚିକିତ୍ସା ବ୍ୟବସ୍ଥାର ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏଦିଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ସ୍ୱେଚ୍ଛାସେବୀ ସଂଗଠନର ଶିବ ଶଙ୍କର ଦାସ, କେ.ନାଦିଆ ରାଣୀ, ସୁକାନ୍ତ ବେହେରା, ପ୍ରିତିମୟୀ ମଲ୍ଲିକ, ବିଭୁ ପ୍ରସାଦ ଠାକୁର ଏବଂ ମାମାଙ୍କ ମାତା ଝୁମୁରୀ ନାୟକ ପ୍ରମୁଖ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।


