ପେଟିଂ ଆର୍ଟ ଓ ବିଜ୍ଞାପନ ପ୍ରସାର ଶ୍ରମିକଙ୍କୁ ସହାୟତା ପ୍ରଦାନ ପାଇଁ ଦାବି
ହିଂଜିଳିକାଟୁ (ୱାଇଏନଏସ) : ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ସରକାର ଆସନ୍ତା ମେ ୩ ତାରିଖ ଯାଏଁ ଲକଡ଼ାଉନ ଘୋଷଣା କରିଛନ୍ତି । ବିବାହ, ବ୍ରତୋପନୟନ ଚିତା ଆଙ୍କିବା ଠାରୁ ଆରମ୍ଭ କରି ବ୍ୟାନର, ସାଇନ ବୋର୍ଡ଼ ଓ ସରକାରୀ ତଥା ଘରୋଇ ବିଜ୍ଞାପନକୁ କାନ୍ଥରେ ଲେଖି ପରିବାର ପ୍ରତିପୋଷଣ କରୁଥିବା ସମସ୍ତ ଅସ୍ଥାୟୀ ଶ୍ରମିକ ମାନେ ଲକଡ଼ାଉନ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ପରିସ୍ଥିତିରେ ପେଟକୁ ଦାନା ଯୋଗାଡ଼ କରିବା ସହ ପରିବାର ପ୍ରତିପୋଷଣ କରିବା ସେମାନଙ୍କପାଇଁ ଅସହ୍ୟ ହୋଇପଡ଼ିଛି । ସରକାରଙ୍କ ପକ୍ଷରୁ ସେମାନଙ୍କୁ କେବେ ବି ଆର୍ଥୀକ ସହାୟତା ପ୍ରଦାନ କରାଯାଇ ନାହିଁ କିମ୍ବା ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ କୌଣସି ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇନାହିଁ । କରୋନା ଭୁତାଣୁ ସଂକ୍ରମଣକୁ ରୋକ ଲଗାଇବା ପାଇଁ ସରକାର ଲକଡ଼ାଉନ ଅବଧି ବୃଦ୍ଧି କରିଥିବା ବେଳେ ପ୍ରାୟ ୧ମାସ ଧରି ଲକଡ଼ାଉନ ପେଟିଂ ଆର୍ଟ ଓ ବିଜ୍ଞାପନ ପ୍ରସାର ଶ୍ରମିକ ମାନେ କେମିତି ଚଳିବେ, ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଏହି ପରିପେକ୍ଷୀରେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସକାଶେ ଅଲ୍ ଓଡ଼ିଶା ପେଟିଂ ଆର୍ଟ ଓ ବିଜ୍ଞାପନ ପ୍ରସାର ଶ୍ରମିକ ସଂଘ , ହିଂଜିଳିକାଟୁ ବ୍ଳକ କମିଟି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଅଲ୍ ଓଡ଼ିଶା ପେଟିଂ ଆର୍ଟ ଓ ବିଜ୍ଞାପନ ପ୍ରସାର ଶ୍ରମିକ ସଂଘ , ହିଂଜିଳିକାଟୁ ବ୍ଳକ କମିଟି ସଭାପତି ବିଜୟ କୁମାର ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ରଥ, , ରାଜାରାମ ସ୍ୱାଇଁ, ଗୌରୀ ଶଙ୍କର ନାହାକ, ଗୟା ପ୍ରଧାନ, ସରୋଜ, ଜିତୁ ପ୍ରମୁଖ ଚିତ୍ରକର ଉପସ୍ଥିତ ଥିଲେ ।