ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଅଭାବ : କ୍ଷତି ଭରଣା ପାଇଁ ଚଢା ଦରରେ ବିକ୍ରୀ ହେଉଛି ପେଟ୍ରୋଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାରେ ଥିବା ଅର୍ଦ୍ଧାଧିକ ପେଟ୍ରୋଲ ଟାଙ୍କିରେ ଏବେ ପେଟ୍ରୋଲ ଶୂନ୍ୟ ହୋଇଯାଇଛି । ଗ୍ରାହକମାନେ ତେଲ ନପକାଇ ପାରି ଫେରୁଛନ୍ତି । ଏହାର ସୁଯୋଗ ନେଇଛନ୍ତି ଆଉ କେତେକ ପେଟ୍ରୋଲ ଟାଙ୍କି । ସେଠାରେ ଚଢା ଦରରେ ପେଟ୍ରୋଲ ବିକ୍ରୀ କରାଯାଉଛି । ପେଟ୍ରୋଲ ଲିଟର ୧୦୩ଟଙ୍କା ଥିବା ବେଳେ କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ଏକ ନିର୍ଦ୍ଦିିଷ୍ଟ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ଦରରେ ବିକ୍ରୀ କରାଯାଉଛି । ଅନ୍ୟ ଟାଙ୍କିରେ ୧୦୩ ଟଙ୍କା ଲିଟର ପ୍ରତି ଦରରେ ପେଟ୍ରୋଲ ବିକ୍ରୀ କରାଯାଉଥିବା ବେଳେ ଏଠାରେ ଅଧିକ ୫ଟଙ୍କା ବୃଦ୍ଧି କରାଯାଇଛି । ଏପରିକି ସେହି ଟାଙ୍କିର ଡିଜିଟାଲ ମିଟରରେ ମଧ୍ୟ ପେଟ୍ରୋଲ ଲିଟର ୧୦୮ଟଙ୍କା ଦର୍ଶାଯାଇଛି । ଏସମ୍ପର୍କରେ ଗ୍ରାହକମାନେ ସଂପୃକ୍ତ ଟାଙ୍କିର କର୍ମଚାରୀଙ୍କୁ ପଚାରିବାରେ ଉତ୍ତର ମିଳୁଛି ଆମେ ଚଢା ଦରରେ ଯେହେତୁ ପେଟ୍ରୋଲ କିଣୁଛୁ ତେଣୁ ଚଢା ଦରରେ ପେଟ୍ରୋଲ ବିକୁଛୁ । ଅପର ପକ୍ଷରେ ଅନ୍ୟ ଏକ ସୁତ୍ରରୁ ଜଣାପଡିଛି ଯେ ସରକାର ପେଟ୍ରୋଲ ଦର କମାଇ ଦେଇଛନ୍ତି । ଫଳରେ ଟାଙ୍କି ମାଲିକମାନେ କ୍ଷତି ସହିଛନ୍ତି । ଏହି ସେହି କ୍ଷତିକୁ ଭରଣା କରିବା ପାଇଁ ଏହିଭଳି ଅଧିକ ଦର ନିଆଯାଉଥିବା ଅଭିଯୋଗ ହୋଇଛି । ତେବେ ଏସଂକ୍ରାନ୍ତରେ ବେଷାମରିକ ଯୋଗାଣ ଅଧିକାରୀଙ୍କ ନିକଟରେ କୈାଣସି ଖବର ନଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲାକୁ ତେଲ ଯୋଗାଣ କାହିଁକି କମ ରହିଛି ତାହାର ଉତ୍ତର ଯୋଗାଣ ବିଭାଗ ପାଖରେ ନାହିଁ । ଏସଂକ୍ରାନ୍ତରେ ବେଷାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରୁ ସେ କହିଲେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ କୈାଣସି ପେଟ୍ରୋଲ ଟାଙ୍କି ଅଧିକ ମୂଲ୍ୟରେ ପେଟ୍ରୋଲ ବିକ୍ରୀ କରି ପାରିବେ ନାହିଁ । ଏହାର ତଦନ୍ତ କରାଯିବ । ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏତଦବ୍ୟତିତ କେନ୍ଦ୍ରାପଡାର କେତେକ ତେଲ ଟାଙ୍କିରେ ପେଟ୍ରୋଲ ସହିତ କିରୋସିନ ମିଶାଯାଉଥିବା ବେଳେ ଅନ୍ୟ କେତେକ ଟାଙ୍କିରେ ଗ୍ରାହକ ଜଣଙ୍କ କିଣୁଥିବା ପରିମାଣ ଠାରୁ କମ ପେଟ୍ରୋଲ ଦିଆଯାଉଥିବା ଅଭିଯୋଗ ହେଉଛି ।