ପେଟ୍ରୋଲ, ଡିଜେଲ୍ ଓ ରନ୍ଧନଗ୍ୟାସ୍ ଦରବୃଦ୍ଧି ବିରୁଦ୍ଧରେ ସମାଜବାଦୀ ପାର୍ଟିର ବିକ୍ଷୋଭ
ଭୁବନେଶ୍ୱର, (ୱାଇଏନ୍ଏସ୍): ପେଟ୍ରୋଲ୍, ଡିଜେଲ୍ ଲିଟର ପିଛା ୧୦୦ ଟଙ୍କା ଉପରେ ଥିଲାବେଳେ ରନ୍ଧନଗ୍ୟାସ ପ୍ରତି ମାସରେ ବଢ଼ିଚାଲିଛି । ଗତ ୭ ମାସ ଭିତରେ ଜାଳେଣି ଗ୍ୟାସ୍ ୧୪.୨କି.ଗ୍ରା. ସିଲିଣ୍ଡର ପିଛା ୧୬୫ ଟଙ୍କା ବୃଦ୍ଧି ପାଇଛି । ଏ ଦେଶର ଗୃହିଣୀମାନଙ୍କର ରନ୍ଧନଶାଳା ଉପରେ ଚରମ ଆକ୍ରମଣ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ସଭାପତି ରବି ବେହେରା ପ୍ରଶ୍ନ କରିଛନ୍ତି । ପାର୍ଟି ପକ୍ଷରୁ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ଏକ ବିକ୍ଷୋଭରେ ଶତାଧିକ ଦଳୀୟ କର୍ମୀ ଗ୍ୟାସ୍, ସିଲିଣ୍ଡର ଧରି ପେଟ୍ରୋଲ୍, ଡିଜେଲ୍ ଦରବୃଦ୍ଧି ବନ୍ଦ କର, ମୋଦି ସରକାର ତୁମ ଆଚ୍ଛେଦିନର ପ୍ରତିଶ୍ରୁତି ଗଲା କୁଆଡ଼େ ? ଜାଳେଣୀ ଗ୍ୟାସ୍ ୭ ମାସରେ ୧୬୫ ଟଙ୍କା ଦରବୃଦ୍ଧି କାହିଁକି ଉତ୍ତର ଚାହୁଁ ଉତ୍ତର ଦିଅ । ପେଟ୍ରୋଲ୍, ଡିଜେଲ୍କୁ ଜି.ଏସ୍.ଟି. ଅନ୍ତର୍ଭୁକ୍ତ ଆମର ଦାବି ଇତ୍ୟାଦି ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କରୋନା ସଙ୍କଟ ସମୟରେ ବହୁ ଲୋକଙ୍କ ଜୀବନ ଜୀବିକା ବିପଦରେ ପଡ଼ିଥିଲା ବେଳେ ଲୋକ ଚାକିରୀ ହରାଇ ଦୁର୍ଦ୍ଦିନରେ ଦିନ କାଟୁଥିବା ସମୟରେ ମୋଦି ସରକାରଙ୍କ ଭୁଲ୍ ନୀତି ଯୋଗୁଁ ଆଜି ମହଙ୍ଗାମାଡ଼ ସେମାନଙ୍କର ଜୀବନ ଜୀବିକାକୁ ଧ୍ୱଂସ କରିଦେଇଛି । ବହୁ ଲୋକଙ୍କ ଘରେ ବେଳାଏ ଚୁଲି ଜଳିଲେ ଆଉ ବେଳାଏ ଉପାସ । କାମ ନପାଇ ଗରିବ, ଖଟିଖିଆ, ଦିନମଜୁରିଆମାନେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଏହି ସମୟରେ ପ୍ରତି ମାସରେ ଜାଳେଣି ଗ୍ୟା ଦର ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲ ଲିଟର ପିଛା ୨୦୦ ଟଙ୍କାରେ ପହଞ୍ଚିଲାଣି । ଡାଲି ୧୦୦ ରୁ ୧୨୦ ଟଙ୍କା, ପେଟ୍ରୋଲ୍, ଡିଜେଲ୍ର ଦର ବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ପ୍ରତିଦିନ ଦରବୃଦ୍ଧି ଘଟିଚାଲିଛି । ଦରଦାମ୍ ବୃଦ୍ଧିକୁ ରୋକିବା ପରିବର୍ତ୍ତେ ସରକାର ନିଜର ରାଜକୋଷର ବୃଦ୍ଧି ପାଇଁ ଲୋକଙ୍କ ଉପରେ ଟିକସ ଲଦି ଚାଲିଛନ୍ତି । ଏହାକୁ ସମାଜବାଦୀ ପାର୍ଟି ନିନ୍ଦା କରିବା ସଙ୍ଗେସଙ୍ଗେ ସାଧାରଣ ଗରିବ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି । ଏହି ବିକ୍ଷୋଭରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଦଳର ବରିଷ୍ଠ ନେତା ବିଜୟ ବେହେରା, କୋଷାଧ୍ୟକ୍ଷ ସଂଜୟ ନାୟକ, ଯୁବ ଜନସଭାର ଜାତୀୟ ସମ୍ପାଦକ ସୁନୀଲ୍ ମିଶ୍ର, ରାଜ୍ୟ ଯୁବ ଜନସଭା ସଭାପତି ସୁବ୍ରତ ଲେଙ୍କା ଓ ସମ୍ପାଦକ ସୁଶୀଲ ହୋତା, ଛାତ୍ରନେତା ସୌମ୍ୟରଂଜନ ଦାସ ଏବଂ ନାରୀ ନେତ୍ରୀ ରୀତା ପଟ୍ଟନାୟକ ଓ ସୁଧାରାଣୀ ସାହୁ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେବା ସହିତ ତୁରନ୍ତ ବର୍ଦ୍ଧିତ ଗ୍ୟାସ୍ ଦର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସରକାର ଦରଦାମ୍ ବୃଦ୍ଧି ରୋକିବା ପାଇଁ ସଠିକ୍ ଗ୍ରହଣ ନକଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବେହେରା ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ।