ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପଡୋଶୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଶନିବାର ରାତିରେ ଜଣେ ପଡୋଶୀ ଅନ୍ୟ ପଡୋଶୀଙ୍କ ପୁଅ ଏବଂ ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।ଏଥିରେ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଝିଅ ଲକ୍ଷ୍ମୀ ପ୍ରଧାନ ଆହତ ହୋଇଥିବା ବେଳେ କାଳିଆ ଓରଫ ସୁମନ୍ତ ପ୍ରଧାନ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୁମନ୍ତଙ୍କୁ ପ୍ରଥମେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ କରାଯାଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।ଆହତଙ୍କ ବାପା ହରିଶ୍ଚନ୍ଦ୍ର ପ୍ରଧାନଙ୍କ ଏତଲା ଭିତ୍ତିରେ କେ. ନୂଆଗାଁ ଥାନା ପୋଲିସ ମାମଲା ନଂ. ୧୪୩/୨୪ ପ୍ରକାରେ ଏକ ମାମଲା ରୁଜୁ କରି ପଡୋଶୀ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି।ରବିବାର ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଦିଗପହଣ୍ଡି ଉପ କାରାଗାରକୁ ପଠାଇ ଦିଆଯାଇଛି।ଗତକାଲି ସଂଧ୍ୟାରେ ହରିଶ୍ଚନ୍ଦ୍ରଙ୍କ ନବ ବିବାହିତା ଝିଅ ଇଶ୍ବରୀ ଏବଂ ଜ୍ବାଇଁପୁଅ ମିଥୁନ ପ୍ରଧାନ କୋଠା ମଡାଣିକୁ ଆସି ଫେରୁଥିବା ବେଳେ ଏହି ବିବାହକୁ ପୂର୍ବରୁ ବିରୋଧ କରି ଆସୁଥିବା ଜଗନ୍ନାଥ ପ୍ରଥମେ ବୋଲେରୋ ଗାଡି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ।କିନ୍ତୁ କିଛି ପେଟ୍ରୋଲ ଗାଡି ପାଖରେ ଥିବା ଲକ୍ଷ୍ମୀଙ୍କ ଉପରେ ପଡି ନିଆଁ ଲାଗି ଯାଇଥିଲା।ଗାଡିରେ ଜିନିଷପତ୍ର ଭର୍ତ୍ତି କରୁଥିବା ଭାଇ ସୁମନ୍ତ ଭଉଣୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଜଗନ୍ନାଥ ପୁଣି ପେଟ୍ରୋଲ ଫିଙ୍ଗି ଦେବାରୁ ସୁମନ୍ତ ଜୀବନ୍ତ ଜଳିବାକୁ ଲାଗିଥିଲେ।ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ବହୁ କଷ୍ଟରେ ନିଆଁ ଲିଭାଇଥିଲେ ମଧ୍ୟ ଶରୀରର ବହୁ ଅଂଶ ପୋଡି ଯାଇଥିଲା।ଏହାପରେ ଉଭୟ ଲକ୍ଷ୍ମୀ ଓ ସୁମନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।


