ପେଟ୍ରୋଲ ଦର ୯୦ ଟପିଲା : ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡ଼ାକରା ମହଙ୍ଗା ମାଡ଼ରେ ଅତିଷ୍ଠ ସହରବାସୀ, ବଢୁଛି ଜନ ଅସନ୍ତୋଷ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଚଳିତ ମାସରେ ପେଟ୍ରୋଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଲିଟର ପିଛା ଦର ୯୦ ଟଙ୍କା ଟପିଛି । ଯାହାକି ସର୍ବକାଳୀନ ରେକର୍ଡ଼ ଭାଙ୍ଗିଛି ବୋଲି ହିଞ୍ଜିଳିକାଟୁ ସହରରେ ଚର୍ଚ୍ଚା ଜୋର ଧରିଛି । ଦେଶ ସ୍ୱାଧିନତା ଲାଭ କରିବା ପର ଠାରୁ ପେଟ୍ରୋଲ ଦର କେବେ ବି ୯୦ ଟଙ୍କା ହୋଇନଥିଲା ବୋଲି କିଛି ଆର୍ଥିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ରବିବାର ହିଞ୍ଜିଳିକାଟୁ ସହରର ପ୍ରେଟ୍ରୋଲ ପମ୍ପରେ ଲିଟର ପିଛା ଦର ୯୦ଟଙ୍କା ୭୬ ପଇସା ରହିଥିବା ବେଳେ ନିକଟ ଭବିଷ୍ୟତରେ ଦର ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।ଅନୁରୂପ ଭାବେ ଡ଼ିଜେଲ ଦର ମଧ୍ୟ ଲିଟର ପିଛା ୮୭ ଟଙ୍କା ୨୯ ପଇସା ହେଲାଣି । ପ୍ରତିଦିନ ପେଟ୍ରୋଲ ଓ ଡ଼ିଜେଲର ଦର ବୃଦ୍ଧି ପାଉଥିବା ଯୋଗୁଁ ଏହାର ପ୍ରଭାବ ସିଧାସଳଖ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପଡୁଛି । ପେଟ୍ରୋଲ ଓ ନିଜେଲର ଦର ବୃଦ୍ଧିକୁ ନେଇ ସ୍ଥାନୀୟ ଅଂଚଳରେ ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଅହେତୁକ ଭାବରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ପ୍ରଭାବ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ସିଧା ପ୍ରଭାବ ପଡ଼ିବା ସହ ଲୋକଙ୍କ ଆର୍ଥୀକ ଅବସ୍ଥା ସଙ୍ଗୀନ ହୋଇ ପଡ଼ିଥିବା ବେଳେ ବର୍ତମାନ ସ୍ଥିତିରେ ଯାନବାହାନ ଭଡ଼ା ଠାରୁ ଆରମ୍ଭ କରି ବଜାରର ମହଙ୍ଗା ମାଡ଼ ସହରବାସୀଙ୍କୁ ଅତିଷ୍ଠ କରି ପକାଇଛି । ଅନ୍ୟ ପକ୍ଷରେ ପେଟ୍ରୋଲ ଓ ଡ଼ିଜେଲ ଦର ବୃଦ୍ଧି ପାଉଥିବାରୁ ବହୁ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳୁଛି । ରାଜ୍ୟ ପ୍ରଦେଶ କଂଗେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ସହସଦ ତଥା ଓଡ଼ିଭା ପ୍ରଭାରୀ ଏ. ଚେଲାକୁମାର, ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତି ପ୍ରମୁଖ ଗତ ୩୦ ତାରିଖ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ହିଞ୍ଜିଳି ଗ୍ରସ୍ତରେ ଆସି ପେଟ୍ରୋଲ ଓ ଡ଼ିଜେଲର ଦରବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ପେଟ୍ରୋଲ ଓ ଡ଼ିଜେଲ ଦର ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନି ଦେଇଥିଲେ । ରାଜ୍ୟ କଂଗ୍ରେସ ପକ୍ଷରୁ ସୋମବାର ସକାଳ ୭ଟାରୁ ଅପରାହ୍ନ ୧ ଘଂଟା ପର୍ଯ୍ୟନ୍ତ ୬ଘଂଟା ପାଇଁ ବନ୍ଧ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ସେମାବର ବନ୍ଦ ପାଳନ କରାଯିବ ବୋଲି ହିଞ୍ଜିଳି ବିଧାନସଭା ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ କହିଛନ୍ତି ।ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ସହରରେ ଚଳିତ ମାସ ପହିଲାରେ ପେଟ୍ରୋଲ ଦର ୮୮ ଟଙ୍କା ୩୧ ପଇସା ଥିଲା । ୪ ତାରିଖରେ ୨୪ ପଇସା ବୃଦ୍ଧି ପାଇଥିବା ବେଳେ ୫ ତାରିଖରେ ୩୦ ପଇସା, ୯ ତାରିଖରେ ୩୬ ପଇସା, ୧୦ ତାରିଖରେ ୩୦ ପଇସା, ୧୧ ତାରିଖରେ ୨୫ ପଇସା, ୧୨ ତାରିଖରେ ୪୦ପଇସା ବୃଦ୍ଧି ପାଇଛି । ସେହିପରି ମଧ୍ୟ ଗତ କିଛି ଦିନ ଧରି ଡ଼ିଜେଲ ଦର ଅହେତୁକ ଭାବେରେ ବୃଦ୍ଧି ପାଇବାରେ ଲାଗିଛି ।