ପେଟ୍ରୋଲ ପମ୍ପ ଉଦଘାଟନ ବେଳେ ବିଜେଡି – ବିଜେପି ମୁହାଁମୁଁହି ଉତ୍ତେଜନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ରା.ଉଦୟଗିରି ସମବାୟ ସମିତି ପକ୍ଷରୁ ନିର୍ମିତ ନୂତନ ପେଟ୍ରୋଲ ପମ୍ପର ଉଦଘାଟନ କରିଛନ୍ତି ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ । ତେବେ ସମବାୟ ସମିତି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନିମନ୍ତ୍ରଣ ପତ୍ର ଓ ଉଦଘାଟନ ଫଳକରେ ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓ ଙ୍କ ନାମ ନ ଥିବା ନେଇ ବିଜେପି ପକ୍ଷରୁ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା. ଗଜପତି ଜିଲ୍ଲା ବିଜେପିର କିଛି କର୍ମୀ ବିଜେପିର ଦଳୀୟ ପତାକା ନେଇ ଉଦଘାଟନ ସ୍ଥଳରେ ପହଞ୍ଚି ଫଳକର ଆବରଣକୁ ବଳପୂର୍ବକ ବାହାର କରି ଉଦଘାଟନ ଉତ୍ସବକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ। ଫଳରେ ଘଟଣାସ୍ଥଳରେ ଅପ୍ରିତୀକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଅପରପକ୍ଷରେ ବିଜେପିର କର୍ମୀମାନଙ୍କ ଏଭଳି ପ୍ରତିବାଦ କରିବା ଖବର ପାଇ ବିଜେଡ଼ିର କର୍ମୀ ମାନେ ଏହାକୁ ବିରୋଧ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହେଇଥିଲା ପରେ ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହେବା ସହ ହାତାହାତି ପରିସ୍ଥିତି ଉପଜୁଥିଲା । ସମବାୟ ସମିତି ପକ୍ଷରୁ ଏହି ଉଦଘାଟନି ଉତ୍ସବ ଆୟୋଜିତ ହୋଇଛି । ଉକ୍ତ କମିଟି ସ୍ବତନ୍ତ୍ର ଭାବେ ମୂଖ୍ୟ ଅତିଥିଙ୍କୁ ଡାକିଛନ୍ତି ଏଥିରେ କିଏ ବାଦ ପଡ଼ିଯାଇଛନ୍ତି ସେ ବିଷୟରେ ସମିତିର ଅଧ୍ୟକ୍ଷ ଓ ସଦସ୍ୟମାନେ ଚିନ୍ତା କରିବେ ସେଥିରେ କୌଣସି ନିର୍ଦ୍ଦିଷ୍ଟ ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ହସ୍ତକ୍ଷେପ କରିବା ଆବଶ୍ୟକ ନୁହେଁ ବୋଲି ଜିଲ୍ଲା ପରିଷଦ ଅଧକ୍ଷ ଗାବରା ତିରୁପତି ରାଓ କହିଛନ୍ତି । ଅପରପକ୍ଷରେ ଉଦେଶ୍ୟମୂଳକ ଭାବେ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରାଯାଇଛି ଏହାର ପ୍ରତିବାଦ କରିବାରୁ ଆମ ଉପରେ ଆକ୍ରମଣ ଭୟ ଦେଖାଉଛନ୍ତି ବିଜେଡ଼ି କର୍ମୀମାନେ ବୋଲି ଅଭିଯୋଗ କରିଛନ୍ତି ବିଜେପିର ନେତୃବୃନ୍ଦ ଓ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର।