ପେଟ ପୋଷିବା ପାଇଁ ଦାଦନ ହୋଇ ଘର ଛାଡ଼ିଥିଲେ ଶବ ହୋଇ ଘରକୁ ଫେରିଲେ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଆଁ ସାରା ଖେଳିଯାଇଛି ଶୋକାକୁଳ ପରିସ୍ଥିତି I କାନ୍ଦ ବୋବାଳିରେ ଫାଟି ପଡୁଛି ଗାଆଁ I ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଦାଦନ ହୋଇ ଯାଇଥିବା ଲୋକ ଆଜି ଘରକୁ ଫେରିଛି ଶବ ହୋଇ I ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମରେ I ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମର ଅଶୋକ କୁମାର ନାୟକ (୪୮) ନିଜ ପରିବାରର ପ୍ରତିପୋଷଣ ପାଇଁ ଦୀର୍ଘ ପନ୍ଦର ବର୍ଷ ଧରି ହାଇଦ୍ରାବାଦ୍ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ I ନିଜର ସ୍ଵଳ୍ପ ପାରିଶ୍ରମିକରେ ନିଜର ବିଧବା ମାଆ, ସ୍ତ୍ରୀ ଏବଂ ତିନି ସନ୍ତାନଙ୍କୁ ଅତି କଷ୍ଟରେ ପ୍ରତିପୋଷଣ କରୁଥିଲେ I ଅଶୋକ ଏବଂ ଅଶୋକଙ୍କ ଦାଦା ପୁଅ ଅଜିତ୍ କୁମାର ନାୟକ ହାଇଦ୍ରାବାଦ୍ ରେ କାମ କରୁଥିଲେ I କିନ୍ତୁ ବୋଝ ଉପରେ ନଳିତା ବିଡା ପରି ଅଶୋକଙ୍କ ଉପରେ ଦାଉ ସାଧିଲା କୌଣସି ଅଜଣା ରୋଗ I ସ୍ଥାନୀୟ ଡ଼ାକ୍ତର ଅଶୋକଙ୍କୁ ପରାମର୍ଶ ଦେଲେ କୌଣସି ବଡ଼ ଡ଼ାକ୍ତରଖାନାରେ ଉଚ୍ଚ ମାନର ଚିକିତ୍ସା ପାଇଁ I କିନ୍ତୁ ଅର୍ଥର ଘୋର ଅଭାବ ଯୋଗୁଁ ଅଶୋକ ଉଚ୍ଚ ମାନର ଚିକିତ୍ସା ପାଇଁ ଉନ୍ନତ ମେଡିକାଲ୍ କୁ ଯାଇ ପାରିଲେ ନାହିଁ I କ୍ରମେ ଅଶୋକଙ୍କ ରୋଗ ବଢିବାରେ ଲାଗିଥିଲା I ଅଶୋକ ଗାଆଁକୁ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସୁସ୍ଥତା ଏବଂ ଅର୍ଥର ଅଭାବ ହେତୁ ଗାଆଁକୁ ଫେରିପାରିନଥିଲେ I ଗତ ବୁଧବାର ରାତ୍ର ୩ ଘଣ୍ଟା ୪୮ମିନିଟ୍ ସମୟରେ ଅଶୋକ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ I ଅଶୋକଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଗାଆଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I ଅଶୋକଙ୍କ ବିଧବା ମାଆ ସୋଲି ଏବଂ ସ୍ତ୍ରୀ ପ୍ରଭାତୀ (୩୨ ) କାନ୍ଦି କାନ୍ଦି ବାରମ୍ବାର ବେହୋସ ହୋଇପଡୁଛନ୍ତି I ଅଶୋକଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ବଡ଼ଭାଇ ଅମର,ଅରୁଣ ଏବଂ ଗ୍ରାମବାସୀଙ୍କ ସହାୟତାରେ ଶବ ସଂସ୍କାର କରଯାଇଛି I ଅଶୋକଙ୍କ ମୃତ୍ୟୁ ତାଙ୍କ ବିଧବା ମାଆ, ସ୍ତ୍ରୀ, ଦୁଇ ଝିଅ ଏବଂ ଏକମାତ୍ର ପୁଅ ବେସାହାରା ହୋଇପଡିଛନ୍ତି I ଅଶୋକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ