ପେଶାଦାର ସାମ୍ବାଦିକ ସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ପେଶାଦାର ସାମ୍ବାଦିକ ସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ କରୋନା ରେ ପ୍ରାଣ ହରାଇ ଥିବା ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା ସହ ତାଙ୍କର ଅମର ଆତ୍ମର ସଦଗତି କାମନା କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ ଓ ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ମୂଖ୍ୟ ଅତିଥି ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ରଜନୀକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସାମ୍ବାଦିକ ଅଜିତ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ଈଟିଭି ଭାରତ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅଜିତ କୁମାର ସିଂ ଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ମାନୀତ କରାଯାଇଥିବା ବେଳେ ୭ ଜଣ କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର କୋଣ ଅନୁକୋଣରୁ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ ।


