ପୈାରସଂସ୍ଥାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୧୭୧ ପ୍ରବାସୀ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ପ୍ରସ୍ତୁତ ସହରର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୧୭୧ଜଣ ପ୍ରବାସୀ ରହୁଥିବା ସୂଚନା ମିଳିଛି । ପୈାରସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୪ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ପ୍ରତି ସଙ୍ଗରୋଧ କେନ୍ଦ୍ରକୁ ୱାଇଫାଇ କନକେସନ ଦିଆଯିବା ସହିତ ଆକୁଆଗାର୍ଡ ଲଗାଯାଇ ପାନୀୟଜଳର ସୁବିଧା,ପାଇଖିନା ନିର୍ମାଣ ଓ ବିଦ୍ୟୁତ ସରବରାହର ବ୍ୟାହତ ସମୟରେ ଜେନେରେଟରର ବ୍ୟବସ୍ଥା କରାଯାଇଛି । ୧୪ଟି ସଙ୍ଗରୋଧ କେନ୍ଦ୍ର ମଧ୍ୟରୁ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୩୧ଟି ଶଯ୍ୟାର ବ୍ୟବସ୍ଥା ହୋଇଥିବା ବେଳେ ସେଠାରେ ୩୧ଜଣ ପ୍ରବାସୀ ରହୁଛନ୍ତି । ସେହିପରି ତୁଳସୀ ମହିଳା ମହାବିଦ୍ୟାଳୟରେ ୧୯୦ ଶଯ୍ୟାର ବ୍ୟବସ୍ଥା ହୋଇଥିବା ବେଳେ ସେଠାରେ ୮୭ଜଣ ଓ ଅଭୟା ସଂସ୍କୃତ ମହାବିଦ୍ୟାଳୟରେ ୪୦ଟି ଶଯ୍ୟାର ବ୍ୟବସ୍ଥା ହୋଇଥିବା ବେଳେ ସେଠାରେ ୪୦ଜଣ ପ୍ରବାସୀ ରହୁଥିବା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି । ପ୍ରବାସୀ ରହୁଥିବା ପ୍ରତ୍ୟେକ ସଙ୍ଗରୋଧ କେନ୍ଦ୍ରରେ ସକାଳେ ସମସ୍ତଙ୍କୁ ଜଳଖିଆ,ମଧ୍ୟାହ୍ନରେ ରନ୍ଧା ଖାଦ୍ୟ,ସନ୍ଧ୍ୟାରେ ଚା ଓ ବିସ୍କୁଟ ଏବଂ ରାତିରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ପ୍ରତ୍ୟେକ ସଙ୍ଗରୋଧ କେନ୍ଦ୍ର ଦାୟୀତ୍ୱରେ ୮ରୁ ୧୦ଜଣକରି ଏକ ଟିମ ରହିଥିବା ଜଣାପଡିଛି । ପ୍ରତ୍ୟେକ ଦିନର ରିପୋର୍ଟ ସେହି ଟିମ ଗୁଡିକ ପୈାରନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରୁଛି । ଶାନ୍ତି ଶୃଙ୍ଖଳାର ସହିତ ଏହି କେନ୍ଦ୍ର ଗୁଡିକରେ ପ୍ରବାସୀମାନେ ରହିଥିବା ଓ ସରକାରଙ୍କ ନୀତିନିୟମ ଅନୁଯାଇ ସଙ୍ଗରୋଧ କେନ୍ଦ୍ର ଗୁଡିକ କାର୍ଯ୍ୟ କରୁଥିବା ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି ।