ପୋଖରୀରେ ବୁଡ଼ି ଶିଶୁ କନ୍ୟା ମୃତ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ଗ୍ରାମ ପୋଖରୀରେ ବୁଡ଼ି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମ ପଂଚାୟତ ସାହିର ଶଙ୍କର ସେଠୀଙ୍କ ୩ ବର୍ଷର ଶିଶୁ କନ୍ୟା ଶୁଭଶ୍ରୀ ସେଠୀ । ଶନିବାର ଅପରାହ୍ନରେ ଶିଶୁ କନ୍ୟା ଜଣକ ଘର ସମ୍ମୁଖରେ ଖେଳୁଥିବା ନେଇ ପରିବାର ସଦସ୍ୟ କହିଛନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁ କନ୍ୟାଟି ଘରକୁ ନଫେରିବାରୁ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ । ଘର ସମ୍ମୁଖରେ ଗ୍ରାମର ଫୋଖରୀ ରହିଥିବାରୁ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ପୋଖରୀ ମଧ୍ୟରେ ଖୋଜିଥିଲେ । ଖୋଜିବା ସମୟରେ ପୋଖରୀ ମଧ୍ୟରୁ ଶିଶୁ କନ୍ୟା ଜଣକ ମିଳିଥିଲେ । ପରିବାର ସଦସ୍ୟ ଶିଶୁ କନ୍ୟାର ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଂଜିଳି ପୋଲିସ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରିଥିଲେ । ଏ ନେଇ ନଂ- ୨୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ପୋଖରୀ ସମ୍ମୁଖ ଭାଗରେ ଗ୍ରାମର ସାହି ବସ୍ତି ରହିଥିବା ବେଳେ ପୋଖରୀ ଚାରିପଟେ ସୁରକ୍ଷା ପାଚେରୀ ନଥିବାରୁ ଏଭଳି ଅଘଟଣ ଘଟିଥିବାରୁ ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପୋଖରୀ ଚାରିପଟେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି ।