ପୋଚିଲିମା ଗ୍ରାମ ପଂଚାୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ୫ମ ପାଳି ଶାସନ କାଳରେ ୩ଟି ପରେ ପୁଣି ଥରେ ୫ଟି ମନ୍ତ୍ର ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ, କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ପଂଚାୟତରେ କିପରି ଲୋକଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେବ, ସେ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିଯୋଗ ଶୁଣାଣୀ ‘ମୋ ନିବେଦନ’ କାର୍ଯ୍ୟକ୍ରମ । ହିଂଜିଳିକାଟୁ ତହସିଲ ଓ ବ୍ଳକ ପ୍ରଶାସନର ମିଳିତ ସହଯୋଗରେ ଶୁକ୍ରବାର ହିଂଜିଳିକାଟୁ ବ୍ଳକ ପୋଚିଲିମା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଳିତ ଭାବେ ମୋ’ ନିବେଦନ ଓ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୋଚିଲିମା ପଂଚାୟତ କାର୍ଯ୍ୟାଳୟ ପରିସରରେ ପୋଚିଲିମା ସମେତ ବୁରୁପୋଡ଼ା, ସିକିରି, ଚାନ୍ଦୁଲି, ରାଳବ ଆଦି ୫ ଟି ପଂଚାୟତକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୋଚିଲିମା ପଂଚାୟତ ନିର୍ବାହୀ ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, ଏକାଂଉଟ ଅଫିସର ଦିବ୍ୟସିଂହ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୋ ନିବେଦନ କାର୍ଯ୍ୟକ୍ରମରେ ୬୩ ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେହିପରି ୨ୟ ପର୍ଯ୍ୟାୟରେ ମୋ’ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ୧୨୫ ଜଣ ଆବେଦନକାରୀ ନାମ ପଂଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୭୦ ଆବେଦନକାରୀଙ୍କୁ ପଟ୍ଟା ପ୍ରଦାନ, ୩୦ ଜଣଙ୍କୁ ଇ-ପାଉତି ଓ ୧୨ ଜଣ ଆବେଦନକାରୀଙ୍କୁ ସ୍ଥାୟୀ ବାସିନ୍ଦା, ଆୟ, ଜାତିଗତ, ବିଧି ସମନ୍ଧୀୟ ଦାୟାଦ, ଋଣ ପରିଶୋଧ କ୍ଷମତା ପ୍ରଭୃତି ପ୍ରମାଣପତ୍ର ବଂଟନ କରାଯାଇଥିଲା ଓ ୧୩ ଟି ଦାଖଲ ଖାରଜ ମାମଲାର ଶୁଣାଣୀ କରାଯାଇଥିଲା । କାର୍ଯ୍ୟକ୍ରମରେ ପଂଚାଂୟତ ନିର୍ବାହୀ ଅଧିକାରୀ ଶଙ୍କର ରାଓ, ଶିବ ପ୍ରସାଦ ରଣା, ଅଶ୍ୱିନି ସାହୁ, କିଶୋର ସାହୁଙ୍କ ସମେତ ରାଜସ୍ୱ ନିରୀକ୍ଷକ, ଅମିନ ଓ ତହସିଲ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।