ପୋତି ଦେଲେ ପାଣି ନାଳ, ସମସ୍ୟା ଭୋଗିବେ ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଡିଆ ପଞ୍ଚାୟତ କୁଆଁର୍ଦା ଗ୍ରାମରେ ପାଣି ନାଳକୁ ପୋତି ଦିଆଯାଇଥିବାରୁ ଚାଷ ସମୟରେ ଚାଷୀ ମାନେ ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଆଡିଆ ପଞ୍ଚାୟତ କୁଆଁର୍ଦା ଗ୍ରାମରେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ ଆୟୋଗ ଯୋଜନାରେ ୧ ଲକ୍ଷ ୮୦ ହଜାର ଟଙ୍କା ଅଟକଳ ମୂଲ୍ୟରେ ନରସିଂ ସାଗର ପୋଖରୀ ଜେସିବି ମେସିନ ସାହାଯ୍ୟରେ ଖୋଳା ଯାଇ ରାସ୍ତା ପାଶ୍ୱର୍ରେ ଥିବା ନୟନଜୋରୀ(ପାଣି ନାଳ)କୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଉକ୍ତ ପାଣି ନାଳକୁ ପୋତିବା ସମୟରେ ଗ୍ରାମବାସୀମାନେ ବିରୋଧ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । କାହା ଅନୁମତିରେ ଏହି ପାଣି ନାଳକୁ ପୋତା ଯାଇଛି ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି । ଜଳ ନିଷ୍କାସନ ପାଇଁ ଉକ୍ତ ପାଣି ନାଳକୁ ଉଦ୍ଧାର କରାନଗଲେ ଚାଷ ସମୟରେ ଚାଷ ଜମି ବନ୍ୟା ପ୍ଲାବିତ ହେବ ବୋଲି ଚାଷୀ ମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଉକ୍ତ ପାଣି ନାଳର ଉଦ୍ଧାର ପାଇଁ ବାବାଜି ଚରଣ ଆଇଚ, ରାଧାକୃଷ୍ଣ ଆଇଚ, ଦୁଃଶାସନ ରାଉତ, ନାରାୟଣ ଭୂୟାଁ, ନରେନ୍ଦ୍ର ମୁଖୀ, ଗଜେନ୍ଦ୍ର ମୁଖୀ, ଉମାକାନ୍ତ ମୁଦୁଲି, ରମାକାନ୍ତ ରାଉତଙ୍କ ସମେତ ବହୁ ଗ୍ରାମବାସୀ ଜିଲାପାଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ତହସିଲଦାର, ବିଡିଓ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଆଗରପଡା ଆଇଆଇସିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।


