ପୋଲରାଜପୁର ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ଅନ୍ତର୍ଗତ ପୋଲରାଜପୁର ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପ୍ରଧାନଶିକ୍ଷକ ରାଜେଶ ମହାନ୍ତିଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ତଣ୍ଡିପୁର କ୍ଲଷ୍ଟର ସି ଆର୍ ସି ସି ପ୍ରଶାନ୍ତ କୁମାର ଦାଶ ମୁଖ୍ୟ ଅତିଥି ଏବଂ ଖଇର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଏମ୍ ଚନ୍ଦ୍ରଶେଖର ସମ୍ମାନିତ ଅତିଥି ତଥା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ଥିଲେ। ନୋବେଲ ପୁରସ୍କାର ବିଜେତା ଏବଂ ଭାରତରତ୍ନ ସ୍ବର୍ଗତ ସି ଭି ରମଣଙ୍କ ତୈଳ ଚିତ୍ରରେ ପୁଷ୍ପ ଓ ଧୂପ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ସେହି ମହାନ୍ ବୈଜ୍ଞାନିକଙ୍କ ଜୟନ୍ତୀ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଶିକ୍ଷା ସ୍ବାସ୍ଥ୍ୟ , ଗମନାଗମନ, କୃଷି, ଶିଳ୍ପ, ଯୋଗାଯୋଗ ଇତ୍ୟାଦି ସବୁ କ୍ଷେତ୍ରରେ ବିଜ୍ଞାନର ଅବଦାନ ରହିଛି। ବୈଜ୍ଞାନିକ ହେବାପାଇଁ ଗବେଷଣାତ୍ମକ ଚିନ୍ତାଧାରା ରହିବା ଦରକାର। ବିଜ୍ଞାନ ସହିତ ଦୁଇଟି ଜିନିଷ ଯୋଡ଼ି ହୋଇ ରହିଛି, ଯଥା ଗବେଷଣା ଓ ଆବିଷ୍କାର।ପଦାର୍ଥ ବିଜ୍ଞାନରେ ସାର୍ ସି ଭି ରମଣ ଙ୍କ ଅବଦାନ ଯାହାକି ରମଣ ପ୍ରଭାବ ନାଁ ରେ ବିଖ୍ୟାତ ହୋଇଥିଲା। ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ଏବଂ ତାର ସଦୁପଯୋଗ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ବୁଝାଇ କହିଥିଲେ। ଛାତ୍ରଛାତ୍ରୀ ମାନେ ଜାତୀୟ ବିଜ୍ଞାନ ଦିବସ ବିଷୟରେ ନିଜ ନିଜର ମତାମତ ରଖିବା ସହିତ “ଆମେ ବିଜ୍ଞାନ ଯୁଗର ଝିଅ” ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦୂଷଣ ମୁକ୍ତ ପୃଥିବୀ ପାଇଁ ବାର୍ତ୍ତା ଦେଇଥିଲେ।ପ୍ରାୟ ୨୫ ଗୋଟି ପ୍ରକଳ୍ପ ପ୍ରଦର୍ଶନୀ କରାଯାଇଥିଲା। ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର, ପରିବେଶ ସୁରକ୍ଷା, ସଡ଼କ ସୁରକ୍ଷା, ବିଜୁଳି ଅପଚୟ ରୋକିବା, କୃଷି ଓ କୃଷକର ବିକାଶ ଭଳି ପ୍ରକଳ୍ପ ପ୍ରଦର୍ଶନୀ କରିଥିଲେ।ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଆମ ରାଜ୍ୟ ଦେଶ ତଥା ବିଶ୍ଵ ସ୍ତରରେ ସୁଖ୍ୟାତି ଅର୍ଜନ କରିଥିବା ବୈଜ୍ଞାନିକ ମାନଙ୍କ ବିଜ୍ଞାନ ପ୍ରତି ଥିବା ଅବଦାନ ବିଷୟ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ ବୁଝାଇ କହିଥିଲେ। ଜଳବାୟୁ ପରିବର୍ତ୍ତନ ଦ୍ଵାରା ଆଜି ସାଧାରଣ ଜୀବନ କିପରି ଦୁର୍ବିସହ ହେବାକୁ ବସିଲାଣି, ସେ ବିଷୟରେ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ କହିଥିଲେ। ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ବେହେରା ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଅନ୍ୟତମ ଶିକ୍ଷକ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ ସହ ପରିଚାଳନାରେ ସହଯୋଗ କରିଥିଲେ।