ପୋଲରେ ଖସିଲା ଅତଡା , ବିପଦସଂକୁଳ ଅବସ୍ଥାରେ ପୋଲ ;ଯୋଗାଯୋଗ ବିଛିର୍ଣ୍ଣ
ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ରିମୁଳି- ରାଜାମୁଣ୍ଡା ୫୨୦ ନଂ ଜାତୀୟ ରାଜପଥ ତଥା ଯୋଡା ବ୍ଲକର ବାସୁଦେବପୁରଠାରେ ବୈତରଣୀ ନଦୀରେ ବଢିପାଣି ଆସି ସେଠାରେ ଥିବା ପୋଲର ଅତଡା ଖସିଯିବାରୁ ପୋଲ ଉପରେ ଯାତାୟତ ଠପ୍ ହୋଇଯାଇଛି । ବୈତରଣୀ ନଦୀର ଏହି ସେତୁ ଉପରେ ଦୈନନ୍ଦିନ ହଜାର ହଜାର ଖଣିଜ ବୋଝେଇ ଟ୍ରକ ସହିତ ସ୍ଥାନୀୟ ଯୋଡା ବଡବିଲ, କୋଇଡା ପ୍ରଭୃତି ଅଂଚଳର ଜନସାଧାରଣ ଚମ୍ପୁଆ , କେନ୍ଦୁଝର ତଥା କଟକ ଭୁବନେଶ୍ୱରକୁ ଯାତାୟତ କରିଥାନ୍ତି । ପୋଲର ଅତଡା ଖାଇଯିବାରୁ ପୋଲ ଉପର ଦେଇ ଯାତାୟତ କରିବା ବିପଦପୂର୍ଣ୍ଣ ରହିଛି । ପୂର୍ବତନ ଯୋଡା ବ୍ଲକ ଚେୟାରମ୍ୟାନ୍ ଗିରିଧାରୀ ନାଏକ ସୂଚନା ଦେଇ କହିଛନ୍ତି ଯେ, ୧୯୫୦-୫୨ ମସିହାରେ ଏହି ପୋଲଟି ପୁର୍ତ ବିଭାଗ ନିର୍ମାଣ କରିଥିଲା । ଜାତୀୟ ରାଜପଥକୁ ହସ୍ତାନ୍ତର ହେବା ପରେ ମଧ୍ୟ ପୁରୁଣା ପୋଲଟିରେ ଯାନବାହାନ ଯାତାୟତ କରୁଥିଲେ । ତେବେ ଉକ୍ତ ରାସ୍ତା ନିର୍ମାଣ କରୁଥିବା ଜାତୀୟ ରାଜପଥର ଠିକାସଂସ୍ଥା ମନ୍ଟେ କାର୍ଲୋ ପୋଲ ନିର୍ମାଣରେ ବିଳମ୍ବ କରୁଥିବା ହେତୁ ଏହିପରି ସ୍ଥିତି ଉପୁଜିଲା ବୋଲି ଗ୍ରାମବାସୀମାନେ ମତ ଦେଇଛନ୍ତି । ଏଭଳି ସ୍ଥିତି ଉପୁଜି ପୋଲରେ ଯାତାୟାତ ଠପ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଠିକାସଂସ୍ଥା ମନ୍ଟେ କାର୍ଲୋ ର ଏହି ଭଳି ମନମୁଖୀ କାର୍ଯ୍ୟ ଯୋଗୁ ୫୨୦ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ଫଳରେ ପ୍ରାୟ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ତେବେ ଏହି ପୋଲର ମରାମତି ସମ୍ପର୍କରେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି ଯେ, ଯାତାୟତରେ ବିପଦ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି ଏବଂ ଏହାର ମରାମତି ମଧ୍ୟ ଆରମ୍ଭ ହୋଇଛି ।