ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଦ୍ଵିତୀୟ ବୈଠକ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦ୍ଵିତୀୟ ବୈଠକ ଏପ୍ରିଲ ୨୯ ତାରିଖ ଦିନ ଏନଏସି ଅଧ୍ୟକ୍ଷା ସଂଗୀତା ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସମେତ ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ପ୍ରଥମ ବୈଠକରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ପ୍ରକାଶ କରିବା ସହ ଦ୍ଵିତୀୟ ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ। ରାଜନୈତିକ ମନୋଭାବ ନରଖି ସମସ୍ତେ ମିଳିମିଶି ପୋଲସରା ସହରର ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ସମସ୍ତ କାଉନସିଲର ମାନଙ୍କୁ ବିଧାୟକ ଶ୍ରୀ ସାହୁ ଅନୁରୋଧ କରିଥିଲେ। ପାନୀୟ ଜଳଯୋଗାଣ, ଜଳାଶ୍ରୟ ପୁନରୁଦ୍ଧାର, ବିଭିନ୍ନ ସାହି ରାସ୍ତା ମରାମତି, କୋର୍ଟ ନିକଟରେ ବିଶ୍ରାମାଗାର, ବସ୍ତି ଅଞ୍ଚଳରେ ପାଇଖାନା ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା । ସମସ୍ତ କାଉନସିଲର ଓ କର୍ମଚାରୀ ବୃନ୍ଦ ବୈଠକରେ ଯୋଗ ଦେଇଥିଲେ ।


