ପୋଲାଭରମ୍ ପ୍ରକଳ୍ପ କାର୍ଯ୍ୟ ୨୦୨୧ ସୁଦ୍ଧା ଶେଷ ହେବ- କେନ୍ଦ୍ରମନ୍ତ୍ରୀ ରତନ ଲାଲ କାଟାରିଆ
ନୂଆଦିଲ୍ଲୀ : ଡିସେମ୍ବର ୨୦୨୧ ସୁଦ୍ଧା ପୋଲାଭରମ୍ ପ୍ରକଳ୍ପର କାର୍ଯ୍ୟ ଶେଷ ହେବ । ସୋମବାର ରାଜ୍ୟସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କାଟାରିଆ ଏ ନେଇ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ କାଟୋରିଆ ଜଣାଇଛନ୍ତି ଯେ, ୨୦୧୮ ମସିହା ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏହାପରେ ଯୋଜନା ଆୟୋଗ ଦ୍ୱାରା ୨୦୦୯ରେ ପୁଞ୍ଜି ବିନିଯୋଗ ମଞ୍ଜୁରି ପରେ ଏହାକୁ ୨୦୧୯-୨୦ ସୁଦ୍ଧା ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ପ୍ରକଳ୍ପ ପ୍ରାଧିକରଣଙ୍କ ଦ୍ୱାରା ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତି ଅନୁସାରେ ଏହି ପ୍ରକଳ୍ପର କାର୍ଯ୍ୟକୁ ୨୦୨୧ ସୁଦ୍ଧା ଶେଷ କରାଯିବ ବୋଲି ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି । ଏତଦ୍ ବ୍ୟତୀତ ମନ୍ତ୍ରାଳୟ ଦ୍ୱାରା ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଇଥିବାର ସେ କହିଛନ୍ତି । ସେପ୍ଟେମ୍ବର ୩୦, ୨୦୧୬ରେ ଅର୍ଥ ମନ୍ତ୍ରାଳାୟ ଦ୍ୱାରା ପାଣ୍ଠି ମଞ୍ଜୁରି କରାଯାଇଛି । ଜଳସେଚିତ ଉପକରଣ ଗୁଡ଼ିକ କାର୍ଯ୍ୟ ପୂରଣ ପାଇଁ ଶତ ପ୍ରତିଶତ ପାଣ୍ଠି ଯୋଗାଇ ଦିଆଯାଇଛି । କେନ୍ଦ୍ରୀୟ ସହାୟତା ବାବଦରେ ଏପ୍ରିଲ ୨୦୧୪ରୁ ୬୭୬୪.୧୪ କୋଟି ଟଙ୍କା ମଞ୍ଜୁରି କରାଯାଇଛି । ପ୍ରକଳ୍ପର ମୋଟାମୋଟି ପ୍ରଗତି ୬୭.୭୯ ପ୍ରତିଶତ ରହିଥିବା ବେଳେ ଡାହାଣ ମୁଖ୍ୟ କେନାଲର ୯୧.୬୯ ପ୍ରତିଶତ କାର୍ଯ୍ୟ ଶେଷ କରାଯାଇଛି । ପ୍ରକଳ୍ପର ନିୟମିତ ତଦାରଖ କରାଯାଉଛି । ଥଇଥାନ ଓ ପୁନର୍ବାସ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୧୨, ୨୦୧୭ରେ କମିଟି ଗଠନ କରାଯାଇଛି, ଯାହା ଜମି ଅଧିଗ୍ରହଣ ତଥା ଥଇଥାନ ଓ ପୁନର୍ବାସ କାର୍ଯ୍ୟର ତଦାରଖ କରୁଛି । ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କର କେଉଁସବୁ ଆପତ୍ତି ରହିଛି ସେ ସମ୍ପର୍କରେ ସାଂସଦ କେ ଭି ପି ରାମଚନ୍ଦ୍ର ରାଓଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଡିଜାଇନ ଫ୍ଲଡର ଆକଳନ ଓ ଫେରନ୍ତା ଜଳର ଅଧ୍ୟୟନ ତଥା ପରିବେଶ ମଞ୍ଜୁରିକୁ ନେଇ ଆପତ୍ତି ରହିଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଏନେଇ ସୁପ୍ରିମକାର୍ଟରେ ସୁଟ୍ ମଧ୍ୟ ଦାଖଲ କରାଯାଇଛି । ଆନ୍ତଃରାଜ୍ୟ ବୈଠକରେ ଜୁନ ୨, ୨୦୧୬ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସରକାରଙ୍କୁ ଡିଜାଇନ୍ ଫ୍ଲଡ୍, ଫେରନ୍ତା ଜଳ, ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାର ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲା । ଏହାପରେ ୨୦୧୯ରେ କେନ୍ଦ୍ର ଜଳ ଆୟୋଗ ରାଜ୍ୟ ସରକାରଙ୍କୁ ଏହାର ଜବାବ ପଠାଇଥିଲେ ବୋଲି ମନ୍ତ୍ରୀ ତାଙ୍କର ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି ।


