ପୋଲାଭରମ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଧେଶ

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରିତାରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଏବଂ ବିଚ୍ୟୁତି ହୋଇଥିବା ଅଭିଯୋଗ କରି ଡକ୍ଟର ପେନ୍ତାପତି ପୁଲ୍ଲା ରାଓ ଦାଖଲ କରିଥିବା ରିଟ୍ ପିଟିସନକୁ ଅଭିଯୋଗ ଭାବେ ବିଚାର କରିବାକୁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସେହି ଅନୁସାରେ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ କହିଛନ୍ତି ।
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ନରେନ୍ଦ୍ରଭାଇ ପଟେଲ ଓ ବିଚାରପତି ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ଆଇନଜୀବୀ ଶୁଣାଣି ବେଳେ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରିତାରେ ବ୍ୟାପକ ଅନିୟମିତତା ହୋଇଛି ଓ ଏଥିରେ କୌଣସି ସ୍ୱଚ୍ଛତା ନାହିଁ । ଏହି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଯେଉଁ ସବୁ ଅଭିଯୋଗ ହୋଇଛି ତାହା ଉପରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହି ପ୍ରକଳ୍ପର ବ୍ୟୟ ୧୬,୧୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୫୮ ହଜାର କୋଟି ଟଙ୍କା ହୋଇଯାଇଛି । ପ୍ରକଳ୍ପକୁ ନେଇ ସିଏଜି ଯେଉଁ ରିପୋର୍ଟ ଦେଇଥିଲେ ତାହାକୁ ମଧ୍ୟ ଅଣଦେଖା କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି । ଆବେଦନକାରୀ ଯେଉଁ ସବୁ ଅଭିଯୋଗ କରିଥିଲେ ତାହା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଜଳ ଶକ୍ତି ମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ କେନ୍ଦ୍ର ସରକାର ଓ ପୋଲାଭରମ ପ୍ରକଳ୍ପ କର୍ତୃପକ୍ଷ ଉତ୍ତର ଦେଇଛନ୍ତି ଯେ ଏହି ମାମଲା ଆନ୍ଧ୍ର ଅଧୀନରେ ଆସୁଛି ଏବଂ ଏହି ତାହା ଏହି କୋର୍ଟ ପରିସର ବାହାରର ମାମଲା । ସେହି ଯୁକ୍ତିକୁ କୋର୍ଟ ଖାରଜ କରିଦେବା ସହ ଏଭଳି କୁହାଯାଇପାରିବ ନାହିଁ ବୋଲି କୋର୍ଟ ତାଗିଦ୍ କରିଥିଲେ । ଆବେଦନକାରୀଙ୍କ ସମସ୍ତ ଯୁକ୍ତି ଶୁଣିବା ପରେ ରିଟ୍ ପିଟିସନକୁ ଅଭିଯୋଗ ଭାବେ ଗ୍ରହଣ କରି ତାହାର ସମାଧାନ କରିବାକୁ କୋର୍ଟ ଜଳ ଶକ୍ତି ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ