ପୋଲିସର ଦୁର୍ନୀତି
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀଙ୍କ ଦୁର୍ନୀତି, ଆଦିବାସୀ ମାରଣନୀତି ଏବଂ ଅଭିଯୋଗକାରୀଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୨୦ ଦଫା ଦାବି ନେଇ ଏକ ବିଶାଳ ଆଦିବାସୀ ଶୋଭାଯାତ୍ରା ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଖଣି ଗ୍ରାମରୁ ପଦଯାତ୍ରାରେ ବାହାରି ମୋହନା ହାଇସ୍କୁଲ ପଡିଆଠାରେ ସମସ୍ତେ ଏକଚିତ୍ର ହୋଇଥିଲେ । ତାପରେ ସେଠାରୁ ବାହାରି ହାତରେ ଫ୍କାକାର୍ଡ ଧରି ମୋହନା ଥାନା ସମ୍ମୁଖରେ ପହଞ୍ଚି ନାରାବାଜି କରିବା ସହ ଶାନ୍ତି ଶୁଙ୍ଖଳାର ସହିତ ଥାନା ଘେରାଉ କରିଥିଲେ । ପ୍ରକାଶ ଥାଉ କି, ଗତ ୧ ତାରିଖରେ ସାନଖଣି ଗାଁର ଚିତ୍ତରଞ୍ଜନ ମଳିକଙ୍କ ୨ ଗୋଟି ଗାଈ ଚୋରି ହୋଇଥିଲା । ଚୋରୀ କରି ନେଇଥିବା କିଛି ବ୍ଯକ୍ତିଙ୍କୁ ଠାବ କରିବା ପରେ ତାକୁ ଡାକି ଗ୍ରାମରେ ଏକ ବୈଠକ ହୋଇଥିଲା କିନ୍ତୁ ଚୋରି କରିଥିବା ବ୍ଯକ୍ତିମାନେ ଘଟଣାର ଦୁଇ ଦିନ ପରେ ମିଥ୍ୟା ଷଡ଼ଯନ୍ତ୍ର କରି ସେମାନଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏହା ପୂର୍ବରୁ ଗତ ୩ରେ ଚିତ୍ତରଞ୍ଜନ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ସେଠାରେ ଥାନା ଅଧିକାରୀ ନାହାନ୍ତି ସେ ଆସିଲେ ଅଭିଯୋଗ ଗ୍ରହଣ କରାଯିବ ବୋଲି ପୁଲିସ କର୍ମଚାରୀ କହିଥିଲେ । ତାପରେ ଗତ ୪ରେ ମିଥ୍ୟା ମାମଲା ରୁଜୁ କରି ଜଣଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୋଲିସ ଏ ନେଇ ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ କରି ନ ଥିଲା । ପରେ ଚିତ୍ତ ମଳିକଙ୍କ କିଛି ସହଯୋଗୀ ଚୋରି କରିଥିବା ବ୍ୟକ୍ତିକୁ ମାଡ଼ ମାରିଥିଲେ ବୋଲି ଆହତ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୯ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ମିଥ୍ୟା ମାମଲା ରୁଜୁ କରାଯାଇଛି ବୋଲି ପ୍ରତିବାଦ କରିଛନ୍ତି ଆଦିବାସୀ ମଞ୍ଚର କର୍ମକର୍ତ୍ତା । ସେମାନଙ୍କ ୨୦ ଦଫା ଦାବୀରେ ଉଲ୍ଲେଖ ରହିଛି, ଶିକୁଳିପଦର ପଞ୍ଚାୟତର ଟିଆମା, ପାଟପଦର ନୂଆସାହିରୁ ୪ ମାସ ମଧ୍ୟରେ ୧୬ଗୋଟି ବଳଦ ଚୋରି ହୋଇଛି । ଯାହାର ମୁଲ୍ୟ ୪ ଲକ୍ଷ ହେବ। ଚୋରୀ କରି ନେଇଥିବା ବ୍ୟକ୍ତିର ସମସ୍ତ ତଥ୍ୟ ସଂଗ୍ରହ ହେବା ପରେ ଥାନାରେ ଅଭିଯୋଗ ହୋଇଥିଲା । ଏହା ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ଉପରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ନାଲି ଆଖି ଦେଖାଇ ୮୦ ହଜାର ଟଙ୍କା ଦେବା ପାଇଁ କହିଥିଲେ । ତଥାପି ଅଭିଯୁକ୍ତଙ୍କୁ ୬ ମାସ ହେଲା ଗିରଫ କରାଯାଇ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଆଦିବାସୀଙ୍କୁ ଥାନା ପକ୍ଷରୁ ନ୍ୟାୟ ମିଳି ପାରୁନି । ମୋହନା ବ୍ଲକରେ ବାହାରୁ ଆସି ବିଭିନ୍ନ ସଂପ୍ରଦାୟର ଲୋକେ ଆଦିବାସୀଙ୍କ ଜମିରେ ଜୋର ଜବରଦସ୍ତ ଗଞ୍ଜେଇ ଚାଷ କରୁଛନ୍ତି ପୁଲିସ ସେମାନଙ୍କୁ ଗିରଫ କରୁ, ମାଫିଆ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଆଦିବାସୀଙ୍କୁ ମିଥ୍ୟା କେଶରେ ଯୋଡା ନଯାଉ, ଥାନା ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର ଦାବିରେ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ଥାନା ସମୁଖରେ ଧାରଣା ଦେଇ ଘେରାଉ କରିଥିଲେ । ୩ଘଣ୍ଟା ପରେ ଏସପି ଜୟରାମ ଶତପଥୀଙ୍କ ସହ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଭିଡ଼ିଓ କଲ ଯୋଗେ ଲୋକଙ୍କ ସହ କଥା ହୋଇ ଏସପିଙ୍କ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ହଟିଥିଲା ।