ପୋଲିସର ବର୍ବରତା : ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତ ସୋମବାର ରାତିରେ କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା ଭସାଣୀ ଉତ୍ସବ ଚାଲିଥିବା ବେଳେ ଲକ୍ଷ୍ମୀକାନ୍ତ ନାୟକ ନାମକ ସାମ୍ବାଦିକଙ୍କୁ ଭସାଣୀ ଉତ୍ସବର ଫଟୋ ଉଠାଉଥିଲେ । ସେହି ସମୟରେ ନୂଆବସଷ୍ଟାଣ୍ଡ ବାଇପାସ ଛକରେ ମୀରପାଟଣା ଗ୍ରାମର ଦ୍ରୌପଦୀ ବସ୍ତ୍ରହରଣ ମେଢ ଭସାଣୀ ଘାଟକୁ ଯାଉଥିବା ବେଳେ କୌଣସି କାରଣରୁ ୨ ମେଢ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ସେଠାରେ କାର୍ୟ୍ୟରତ ପୋଲିସ ଫୋର୍ସ ଏହି ମେଢ କର୍ମକର୍ତ୍ତା ଓ ସହଯୋଗୀମାନଙ୍କ ଉପରକୁ ମୃଦୁ ଲାଠିଚାଳନା ଆରମ୍ଭ କରିଥିଲେ । ସାମ୍ବାଦିକ ଶ୍ରୀ ନାୟକ ଏହି ଘଟଣାର ଫଟୋ ଉଠାଉଥବାର ଦେଖି କାର୍ୟ୍ୟରତ ପୋଲିସ ସଂପୃକ୍ତ ସାମ୍ବାଦିକଙ୍କୁ ଘେରିଯାଇ ଧକ୍କାମାରି ତଳେ ପକାଇଦେଇ ମୋବାଇଲଟିକୁ ତାଙ୍କ ହାତରୁ ଛଡାଇ ନେଇଥିଲେ । ମୋବାଇଲକୁ ତଳେ ଫିଙ୍ଗି ତାହା ଉପରେ ଚଢି ଭାଙ୍ଗି ଦେଇଥିଲେ । ମୋବାଇଲଟିକୁ ଲକ୍ଷ୍ମୀକାନ୍ତ ତଳୁ ଆଣିବାକୁ ଯିବାବେଳେ ତାଙ୍କୁ ଘୋଷାଡି ପୁଣି ପିଟିଥିବା ସମୟରେ ସେ ତଳେ ପଡିଯିବାରୁ ତାଙ୍କର ଦୁଇହାତ ଓ ଗୋଡ ଖଣ୍ଡିଆ ଖାବରା ହୋଇଥିବା ଅଭିଯୋଗ ହୋଇଛି । ଏହା ଛଡା ନିକଟରେ କେନ୍ଦ୍ରାପଡା ଏସ.ପି ନୀତି ଶେଖର ଉପସ୍ଥିତଥିଲେ ମଧ୍ୟ ଏସ.ପି ଏହି ଘଟଣାରେ କିଛି ବି ହସ୍ତକ୍ଷେପ କରିନଥିଲେ । ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ଏଭଳି ଅସୌଜନ୍ୟ ବ୍ୟବହାରର ପ୍ରତିବାଦରେ ସାମ୍ବାଦିକ ମାନେ ଜିଲ୍ଲପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଘଟିଥିବା ଏପରି ବର୍ବରତାର ଭିଡିଓ ଚିତ୍ର ସେଠାରେଥିବା ସିସିଟିଭି କ୍ୟାମେରାରେ ନିଶ୍ଚୟ ଉତ୍ତୋଳିତ ହୋଇଛି । ଏହି ଭିଡିଓ ଫୁଟେଜକୁ ଯାଞ୍ଚ କରିବା ସହିତ ଏକ ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତ ପୋଲିସ କର୍ମଚାରୀମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି ।


