ପୋଲିସ୍ ର ହସ୍ତକ୍ଷେପ ଫଳରେ ଗାଆଁରୁ ଉଠିଲା ବାସନ୍ଦ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶ କ୍ରମେ ଗାଙ୍ଗପୁର ପୋଲିସ୍ ଏବଂ ସୋରଡା ପୋଲିସ୍ ହସ୍ତକ୍ଷେପ କରି ଗାଙ୍ଗପୁର ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମର ଏକ ପରିବାର ଉପରେ ଥିବା ସାମାଜିକ ବାସନ୍ଦକୁ ଉଠାଇବାରେ ସଫଳ ହୋଇଛନ୍ତି I ଗାଙ୍ଗପୁର ପୋଲିସ୍ ରା ସୂଚନା ପ୍ରକାରେ ଗୁଣିଗାରେଡ଼ି ସନ୍ଦେହରେ ମକରାପଲ୍ଲୀ ଗ୍ରାମବାସୀ ଦୀର୍ଘ ତେର ବର୍ଷ ତଳେ ସେହି ଗ୍ରାମର ରଘୁନାଥ ସ୍ୱାଇଁଙ୍କ ପରିବାରକୁ ସାମାଜିକ ବାସନ୍ଦ କରି ଗାଆଁରୁ ବାହାର କରିଦେଇଥିଲେ I ଏନେଇ ରଘୁନାଥ ସ୍ୱାଇଁ ପିଟିସନ୍ ଦାୟର୍ କରିଥିଲେ I ରଘୁନାଥଙ୍କ ପିଟିସନ୍ କୁ ଭିତ୍ତି କରି ଗଞ୍ଜାମ ଏସ୍.ପି ବ୍ରିଜେଶ ରାୟ ମାମଲାର ଆପୋଷ ସମାଧାନ ପାଇଁ ଗାଙ୍ଗପୁର ଏବଂ ସୋରଡ଼ା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଏସ୍.ପି ଶ୍ରୀ ରାୟଙ୍କ ନିର୍ଦ୍ଦେଶ ପ୍ରକାରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଗାଙ୍ଗପୁର ଥାନା ପରିସରରେ ଏକ ଜନ ସଚେତନତା ବୈଠକ ଆୟୋଜନ କରିଥିଲେ I ଏହି ବୈଠକରେ ମକରାପଲ୍ଲୀ ଗ୍ରାମର ଭଦ୍ରବ୍ୟକ୍ତି , ଅଭିଯୋଗକାରୀ ରଘୁନାଥ ସ୍ୱାଇଁ ଉପସ୍ଥିତ ଥିବାବେଳେ ସୋରଡା ଥାନା ଅଧିକାରୀ ରମେଶ୍ ଚନ୍ଦ୍ର ପ୍ରଧାନ ମଧ୍ଯ ଯୋଗ ଦେଇଥିଲେ I ଏହି ବୈଠକରେ ଗୁଣିଗାରେଡ଼ି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହିତ ଗୁଣିଗାରେଡ଼ି ସନ୍ଦେହରେ କାହାକୁ ଅଯଥା ହଇରାଣ କରିବା ଆଇନଗତ ଅପରାଧ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ I ଏଣୁ ଗୁଣିଗାରେଡ଼ି ଠାରୁ ଦୂରେଇ ରହି ଗ୍ରାମରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରି ସମସ୍ତେ ମିଳିମିଶି ଚଳିବା ପାଇଁ ସୋରଡ଼ା ଥାନା ଅଧିକାରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ I ବୈଠକରେ ଉପସ୍ଥିତ ଗ୍ରାମବାସୀ ଗୁଣିଗାରେଡ଼ିକୁ ବିଶ୍ୱାସ ନକରିବା ସହିତ ଗୁଣିଗାରେଡି ସମ୍ପର୍କରେ ସର୍ବଦା ସଚେତନ ରହିବା ପାଇଁ ଏକ ଶପଥ କରିଥିଲେ I ବୈଠକ ଶେଷରେ ରଘୁନାଥ ସ୍ୱାଇଁ ଏବଂ ଗ୍ରାମବାସୀ ଖୁସିରେ ନିଜ ଗ୍ରାମକୁ ଫେରିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ