ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ; ଦେଶୀ ଓ ବିଦେଶୀ ମଦ ଜବତ, ୩ ଗିରଫ

ରାଇରଙ୍ଗପୁର, (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଏସଡିପିଓଙ୍କ ମୋବାଇଲ ପୋଲିସ ‌ସ୍କ୍ୱାଡ ଏବଂ ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଆଜି ସକାଳୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବହୁ ପରିମାଣରେ ରନ୍ଧା ମଦ ସାମଗ୍ରୀ,ପୋଚ,ଦେଶୀମଦ,ବିୟର,ବିଦେଶୀ ମଦ ଜବତ କରିବା ସହ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଦୀ ନାଳ ଜଙ୍ଗଲ ଘେରା ପିଠାକୁଟୁଣୀରେ ଦେଶୀମଦ ରନ୍ଧା ପ୍ରସ୍ତୁତ କରାଯାଉଥିବା ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନଙ୍କ ନେତୃତ୍ବରେ ଏକ ମୋବାଇଲ ପୋଲିସ ‌ସ୍କ୍ୱାଡ ଏବଂ ରାଇରଙ୍ଗପୁର ଅବକାରୀ ବିଭାଗ ଓଆସି ହରିହର ସିଂ ଙ୍କ ନେତୃତ୍ବରେ ଅବକାରୀ ବିଭାଗ ତରଫରୁ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ଚୋରା ମଦ ମାଫିଆ ପୋଲିସକୁ ଦେଖି ଜଙ୍ଗଲ ଭିତରକୁ ପ୍ରାଣବିକଳରେ ଖସି ପଳାଇଥିଲେ । ସେଠାରୁ ୧୬୦୦କେଜି ପୋଚ ନଷ୍ଟ କରାଯାଇଥିବାବେଳେ ବହୁ ରନ୍ଧା ସାମଗ୍ରୀ ନଷ୍ଟ କରାଯାଇଥିଲା । ଘଟଣାସ୍ଥଳରୁ ୮୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ସେହିଭଳି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ପୁରେନ୍ଦ୍ର ସିଂ ଘରେ ଚଢ଼ାଉ କରାଯାଇ ୧୯ ଲା ବିୟର ଏବଂ ୪.୫୦୦ ଲି ବିଦେଶୀ ମଦ ଜବତ କରାଯିବା ସହ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା । ସେହିଭଳି ବାଦାମ ପାହାଡ଼ ଥାନା ଅନ୍ତର୍ଗତ ମୁରୁମଡିହି ଗ୍ରାମର ମଙ୍ଗଳ ଟୁଡୁଙ୍କ ଘରେ ଚଢ଼ାଉ କରାଯାଇ ୧୫.୬୦୦ ଲିଟର ବିୟର ଜବତ କରାଯାଇ ଗିରଫ କରାଯାଇଥିବା ବେଳେ ଖଣ୍ଡା ଡେରା ଗ୍ରାମର ଲକ୍ଷ୍ମୀ ମଣି ସୋରେନଙ୍କ ଘରୁ ୧୦ ଲି ବିୟର ଜବତ କରାଯାଇ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ