ପୋଲିସ ଓ ବାଲ୍ୟବିବାହ ନିଷେଧ ଅଧିକାରୀଙ୍କ ମଧ୍ୟରେ ସମ୍ମନୟ ବୈଠକ
ନବରଙ୍ଗପୁର,(ୱାଇଏନଏସ): ଜିଲ୍ଲାରେ ବାଲ୍ୟବିବାହକୁ ସମ୍ପୁର୍ଣ୍ଣ ନିରାକରଣ ନିମନ୍ତେ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ପୋଲିସ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ମଧ୍ୟରେ ସମ୍ମନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ବାଲ୍ୟ ବିବାହ କୁ ରୋକିବା ନିମନ୍ତେ କେବଳ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱ ନିର୍ବାହ କରୁଥିଲେ। ବର୍ତ୍ତମାନ ଏହି କ୍ଷମତା କୁ ବିକେନ୍ଦ୍ରୀକରଣ କରାଯାଇ ପଞ୍ଚାୟତ ରାଜ ବିଭାଗ , ଶିକ୍ଷା ବିଭାଗ , ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଓ ପୁଲିସ ବିଭାଗକୁ ଦାୟିତ୍ଵ ଦିଆଯାଇଛି ।ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାୟତ ସ୍ତରରେ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବରେ କାର୍ଯ୍ୟ କରିବେ। ସିଡିପିଓ ମାନେ ବ୍ଲକ ସ୍ତରରେ ବାଲ୍ୟବିବାହ ନିଷେଧ ଅଧିକାରୀ ଭାବରେ କାର୍ଯ୍ୟ କରିବେ । ସେହିପରି ପୁଲିସ ବିଭାଗ ଏହି ନୂଆ ଆଇନ ବ୍ୟବସ୍ଥାରେ ଅଧିକ ଉତ୍ତର ଦାୟିତ୍ଵ ବହନ କରୁଛନ୍ତି । ବାଲ୍ୟବିବାହ ନିଷେଧ ଅଧିକାରୀ ପୋଲିସର ସହାୟତା ନେଲେ ପୋଲିସ ତୁରନ୍ତ ପ୍ରତିକ୍ରିୟା ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ବାଲ୍ୟବିବାହ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ବୈଠକରେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଜିଲ୍ଲାରେ ବାଲ୍ୟବିବାହ କୁ ସମ୍ପୁର୍ଣ୍ଣ ନିରାକରଣ ନିମନ୍ତେ ପ୍ରତିମାସର ପନ୍ଦର ତାରିଖ ଦିନ ପୋଲିସ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କର ସମ୍ମନୟ ବୈଠକ କରାଯିବ। ଏହାସହ ପ୍ରତି ଥାନାରେ ଥିବା ମହିଳା ଓ ଶିଶୁ ଡେକ୍ସକୁ ଅଧିକ ସକ୍ରିୟତାର ସହିତ କାର୍ଯ୍ୟ କରିବାକୁ ସମସ୍ତ ଥାନାର ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲାରେ ଚିହ୍ନଟ କରାଯାଇଥିବା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ସମସ୍ତ ଶିଶୁ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାର ଲକ୍ଷ୍ୟ ନେଇ ସମସ୍ତ ବ୍ଲକ ଗୁଡିକରେ ଜିଲ୍ଲା ଶିଶୁମଙ୍ଗଳ କମିଟିର କ୍ୟାମ୍ପକୋର୍ଟ କରାଯିବା ପାଇଁ ବିଧିବଦ୍ଧ ଭାବରେ ଏହି ବୈଠକ ରେ ନିଷ୍ପତି ହୋଇଥିଲା। ବାଲ୍ୟବିବାହ ରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର , ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୁର୍ଣିମା କାଶ୍ୟପ୍ୟ , ମହିଳା ସୁରକ୍ଷା ଅଧିକାରୀ ରମା ପଟ୍ଟନାୟକ , ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଆଇନଜୀବି କିଶୋରୀ ପଟ୍ଟନାୟକ , ଜିଲ୍ଲାର ସମସ୍ତ ଥାନାର ଅଧିକାରୀ , ସମସ୍ତ ତହସିଲଦାର, ସମସ୍ତ ସିଡିପିଓ , ୱାନଷ୍ଟପ ସେଣ୍ଟର ର କର୍ମକର୍ତ୍ତା ପ୍ର ମୁଖ ଉପସ୍ଥିତ ରହି ଜିଲ୍ଲାରେ ବାଲ୍ୟବିବାହ କୁ ସମ୍ପୁର୍ଣ୍ଣ ନିରାକରଣ ନିମନ୍ତେ ନେବାକୁ ଥିବା ପଦକ୍ଷେପ ଉପରେ ନିଜ ନିଜର ମତାମତ ରଖିଥିଲେ ।