ପୋଲିସ କର୍ମଚାରୀ ଓ ପେନସନଧାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜଟିଳ ସମୟରେ ମାନବିକତାର ଉଦାହରଣ ସାଜିଛନ୍ତି ରାୟଗଡା ଜିଲ୍ଲାର ପୋଲିସ କର୍ମଚାରୀ ଜିତୁରଞ୍ଜନ ଦାସ । ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବେଲାରପୁର ଗ୍ରାମର ଶ୍ରୀ ଦାସ ରବିବାର ସକାଳେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ୧୦ ହଜାର ଟଙ୍କାର ଚେକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । କରୋନା ଭୂତାଣୁ ଜନିତ ସଂକ୍ରମଣ ବିରୋଧରେ ସମଗ୍ର ବିଶ୍ୱ ଲଢୁଥିବା ବେଳେ ଏବଂ ଆମ ରାଜ୍ୟ ସରକାର ଏହି ଉଦେଶ୍ୟରେ ସଂଗ୍ରାମ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଅର୍ଥର ଆବଶ୍ୟକତା ଓ ଗରୀବ ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଜୀତୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତାଙ୍କ କଷ୍ଠ ଉପାର୍ଜିତ ଦରମାରୁ ଏହି ଅର୍ଥ ପ୍ରଦାନ କରିଥିବା କହିଛନ୍ତି । ଏହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରସଂଶା କରାଯାଇଛି । ସେହିଭଳି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମର ୭୦ବର୍ଷ ବୟସର ବୃଦ୍ଧା ସାବିତ୍ରୀ ବିଶ୍ୱାଳ ତାଙ୍କ ପେନସନରୁ ୧୧ହଜାର ଟଙ୍କା ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ଅର୍ଥ ପ୍ରଦାନ କରିଥିବା କହିଛନ୍ତି ।


