ପୋଲିସ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକଙ୍କ ବାହାଘର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମହାମାରୀ ‘କରୋନା’ ଭୂତାଣୁ ପାଇଁ ସାରା ଭାରତ ଲକ୍ ଡାଉନ୍ ।ଓଡ଼ିଶାରେ ଲକ୍ ଡାଉନ୍ ପାଇଁ ଅଖ ଚକ ଠପ୍, ସରକାରଙ୍କ ବିବାହ,ଭୋଜି ଉପରେ କଟକଣା ।ଏଣେ ପବିତ୍ର ବୈଶାଖ ମାସ ଓ ବିବାହ ଋତୁ । ଏଭଳି ଶୁଭ ସମୟରେ ମହାମାରୀ କରୋନା ଗ୍ରାସୀଛି ମଣିଷ ସମାଜକୁ । ଏହାକୁ ରୋକିବାରେ ଏଯାଏଁ ସମର୍ଥ ହୋଇ ନାହିଁ ସ୍ୱାସ୍ଥ୍ୟ ବିଜ୍ଞାନ । ତେଣୁ ସବୁକିଛି ସର୍ବନାଶ କରି ଦେଇଛି ମହାମାରୀ, ବାହାଘର ଭଳି ପବିତ୍ର କର୍ମରେ ବାଧକ ସାଜିଛି ‘କରୋନା’ । ସ୍ୱାସ୍ଥ୍ୟ ବିଶାରଦମାନେ କହିଲେଣି ଏହା ଦୁଇ ବର୍ଷ ପର୍ଯ୍ୟନ୍ତ କି ଅଧିକ ଦିନ ତା’ର ପ୍ରକୋପ ଦେଖାଇବ । ଏହାକୁ ନେଇ ବରକନ୍ୟାଙ୍କର ବାପ ମା ଓ ବରକନ୍ୟା ଏବେ ଚିନ୍ତିତ । ଆଉ ଏ ‘କରୋନା’ ଗଣ୍ଠି ଏତେ ଶିଘ୍ର ଫିଟିବନି ବୋଲି ଜଣା ପଡ଼ୁଛି । ହେଲେ ପାରିବାରିକ ପରିସ୍ଥିତିକୁ ନେଇ ବରକନ୍ୟାଙ୍କର ପରିବାର ଲୋକେ ନିଜର ପିଲାମାନଙ୍କର ବିବାହ କାର୍ଯ୍ୟକ୍ରମରକୁ ଆଡ଼ମ୍ବରରେ ନ ହେଲେ ବି ନିରାଡମ୍ବର ପରିବେଶରେ କରିବାକୁ ଏକପାଦ ଆଗେଇ ନେଇଛନ୍ତି ।ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ । ମୟୂରଭଂଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିତ୍ରଡା ଗ୍ରାମର ମହେନ୍ଦ୍ର ବେହେରାଙ୍କ ପୁଅ ବିଶ୍ଵଚନ୍ଦନ ବେହେରା ଯିଏ କି ବୃତ୍ତିରେ ସାମ୍ବାଦିକତା କରନ୍ତି ।ତାଙ୍କର ରାଇରଙ୍ଗପୁର ପୌରାଞ୍ଚଳର ୧୦ନମ୍ବର ଓ୍ବାର୍ଡର ଗଣେଶ ପ୍ରଜାପତି ଙ୍କ ଅଲିଅଳ କନ୍ୟା ଅରୁଣା ପ୍ରଜାପତି ଙ୍କ ସହ ଆଗରୂ ବିବାହ କାର୍ଯ୍ୟକ୍ରମ ସ୍ଥିରୀକୃତ ହେଇଥିଲା । ହେଲେ ସର୍ବଗ୍ରାସି ‘କରୋନା’ ପାଇଁ ସବୁ କିଛି ଛାରଖାର ।‌ହେଲେ ସାହାସୀ, ଧୈର୍ଯ୍ୟ ବାନ, ଦୂରଦୃଷ୍ଟି ସଂପନ୍ନ ‘କରୋନା’ ଗଣମାଧ୍ୟମ ଯୋଦ୍ଧା ବିଶ୍ଵ ଚନ୍ଦନ ‘କରୋନା’ର ଆଗତ, ଭବିଷ୍ୟତ, ବର୍ତ୍ତମାନର ସ୍ଥିତି, ନିଜର ପରିବାର ର ସ୍ଥିତି ଓ କନ୍ୟା ପକ୍ଷର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିବାହକୁ ନ ଟାଳି ଆଗେଇ ନେଇଥିଲେ । ଏଥିପାଇଁ ସେ ମୋରଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ରାଜା କିଶୋର ଦାସ ଯାହାଙ୍କର ଘର ରାଇରଙ୍ଗପୁର ପୌରାଞ୍ଚଳର ଈଚିଣ୍ଡା ଗ୍ରାମ ତାଙ୍କର ସହାୟତା ଲୋଡ଼ିଥିଲେ । ବିବାହ କାର୍ଯ୍ୟକ୍ରମ ସାହାନାଇ,ବାଜା, ରୋଷଣୀ,ବାଣ, ବରଯାତ୍ରୀ, ଭୋଜି ପାଇଁ ସରକାରଙ୍କ ତରଫରୁ କଡା କଟକଣା । ତେଣୁ ନିରାଡମ୍ବର ଭାବରେ ବିବାହ କରିବା ପାଇଁ ଉଭୟ ପରିବାର ପକ୍ଷରୁ ସମ୍ମତି କ୍ରମେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ର ସହାୟତା ମାଗିଥିଲେ ।ବାମନଘାଟି ଉପଖଣ୍ଡ ପୋଲିସ ‘କରୋନା’ ମହାଯୋଦ୍ଧା ସ୍ନେହାଶୀଷ ସାହୁ ଅନୁମତି ପ୍ରଦାନ କରିଥିଲେ । ସେହି ଅନୁସାରେ ବରକନ୍ୟା ପରିବାର ଏବଂ ମୋରଡ଼ା ବିଧାୟକ ରାଜା କିଶୋର ଦାସଙ୍କ ସମେତ ସାତ ଜଣ ଏହି ପବିତ୍ର ବୈବାହିକ କାର୍ଯ୍ୟରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଇ ବିବାହ ସଂପନ୍ନ କରାଇଥିଲେ । ଦୁଇଟି ଫୁଲମାଳରେ ଉଭୟ ଉଭୟଙ୍କୁ ବେକରେ ଗଳାଇ ସବୁଦିନ ପାଇଁ ପରସ୍ପରର ଚିର ସାଥୀ ହୋଇଗଲେ ।ପରେ ସମସ୍ତଙ୍କୁ ପ୍ରଣିପାତ କରି ଆଶୀର୍ବାଦ ନେଇଥିଲେ ।ତଦସହ ସମାଜ ପାଇଁ ବାର୍ତ୍ତା ଦେଇଥିଲେ ଯେ ନିରାଡମ୍ବର ଜୀବନ ଜୀଇଁବା ଓ ନିରାଡମ୍ବର ବିବାହ ବନ୍ଧନରେ ବାନ୍ଧି ହେବା ଓ ନିଜର ପରିବାରର ଉନ୍ନତି କରିବା ସହ ସମାଜ ସେବାରେ ନିୟୋଜିତ ହେଲେ ମଣିଷ ଜୀବନ ସାର୍ଥକ ହେବ ।ମୋରଡ଼ା ବିଧାୟକ ରାଜକିଶୋର ଦାସ ଏବଂ ରାଇରଙ୍ଗପୁର ଏସଡିପିଓ ଏଭଳି ଘଡିଷନ୍ଧି ମୁହୂର୍ତ୍ତରେ ତାଙ୍କର ବିବାହ କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିବାରୁ ସେମାନେ ତାଙ୍କ ପାଖରେ ଚିରକୃତଜ୍ଞ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ