ପୋଲିସ ଚଢାଉ କରି ଜବତ କଲା ଚୋରା କୋଇଲା
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ବାଂଶପାଣିଠାରେ ଚୋରା କୋଇଲା କାରବାର ହେଉଥିବା ସ୍ଥଳରେ ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢାଉ କରି ଚୋରା କୋଇଲା ଜବତ କରିଥିବା ଜଣାପଡିଛି । ଏହି କୋଇଲା ଚୋରାଚାଲାଣ କାରବାର ସମ୍ପର୍କରେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଡା ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ଯୋଡା ଥାନା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରାଙ୍କର ନେତୃତ୍ୱରେ ସୋମବାର ବିଳମ୍ବିତ ରାତ୍ରି ୨ଟା ବେଳେ ବାଂଶପାଣି ଅଂଚଳରେ ହେଉଥିବା ଚୋରା କାରବାରର ପେଣ୍ଠସ୍ଥଳୀ ଉପରେ ଚଢାଉ କରାଯାଇଥିଲା । ରାତ୍ରିର ଅନ୍ଧକାରର ସୁଯୋଗ ନେଇ ଚୋରା ବେପାରି ମାନେ ସେଠାରୁ ଖସି ଯିବାରେ ସମର୍ଥ ହୋଇଥିଲେ ହେଁ, ପୋଲିସ ସେଠାରୁ ବିପୁଳ ପରିମାଣର ଚୋରା କୋଇଲା ଜବତ କରିଛି । ସୂଚନାଯୋଗ୍ୟ ଯେ, କୋଇଲା ଏକ ଖଣିଜ ଦ୍ରବ୍ୟ ହୋଇଥିଲେ ମଧ୍ୟ ଏହାର ଚୋରା କାରବାର ସମ୍ପର୍କରେ ଜାଣି ଯୋଡା ଖଣି ଉପନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ନିରବଦ୍ରଷ୍ଟା ସାଜିଛି । ଏଥିରେ କିଛି ଅସାଧୁ ଖଣି କର୍ମଚାରୀ କୋଇଲା ଚୋରଙ୍କ ସହିତ ହାତ ମିଳାଇଥିବା ଜନସାଧାରଣରେ ଆଲୋଚନା ହେଉଛି ।