ପୋଲିସ ଦ୍ୱାରା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତାଞ୍ଚଳ ସଫେଇ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତାଞ୍ଚଳ ସଫେଇ କରାଯାଇଥିବାର ଜଣାପଡିଛି । ଏଠାରେ ଜିଲ୍ଲା ପୋଲିସ ବାହିନୀର ବହୁ କର୍ମଚାରୀ ମହେନ୍ଦ୍ରଗିରି ଠାରେ ପହଞ୍ଚି ସଫେଇ କରିଥିବାର ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ଯେ, ଗଜପତି ଜିଲ୍ଲାର ଏହି ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମାୟଣ ସର୍କିଟରେ ସ୍ଥାନ ଦେଇଛନ୍ତି । ଏହା ଆଗାମୀ ଦିନରେ ବହୁ ଉନ୍ନୟନ କରାଯିବାକୁ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ରୂପେ ଗୁରୁତ୍ୱ ଦେଇ ବିକାଶ କରିବା କଥା କହିଛନ୍ତି । ବର୍ତ୍ତମାନ ବୁରୁଖତ ଛକରୁ ମହେନ୍ଦ୍ର ଶିଖର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ମଧ୍ୟମରେ ପକ୍କା ଘାଟିରାସ୍ତା ନିର୍ମାଣ ହୋଇଯାଇଛି । ଏଥି ଯୋଗୁଁ ଦୈନନ୍ଦିନ ବହୁ ପର୍ଯ୍ୟଟକ ଦୁଇଚକିଆ ଠାରୁ ଆରମ୍ଭ କରି ଚାରିଚକି ଯାନବାହାନ ନେଇ ଶିଖର ଠାରେ ପହଞ୍ଚିଥାନ୍ତି । ପ୍ରାକୃତି ଶୋଭାରାଜିର ଦୃଶ୍ୟ ସହ ପଞ୍ଚୁପାଣ୍ଡବ ମନ୍ଦିର, ଭଗବାନ ପର୍ଶୁରାମଙ୍କ ଦର୍ଶନମାନ ସହ ପୌରାଣିକ କଥାନୁଯାଇ ରାମ ବନବାସ ସମୟରେ ରହଣିସ୍ଥଳ ଆଦି ଗଜପତି ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ହେଲେ ସେମାନେ ଭଣଭୋଜି ଭାତ କରି ଅଳିଆ ଆବର୍ଜନା ତଥା ଖାଇବା ପ୍ଲେଟ, ପ୍ଲାଷ୍ଟିକ ଗ୍ଲାସ, ରୋଷଇ ସାମଗ୍ରୀକୁ ଏଣେତେଣେ ଫୋପାଡି ଦେଇ ଚାଲିଯାଉଛନ୍ତି । ଯାହାକି ବର୍ଷ ତମାମ ଏହା ଏପରି ପଡି ରହୁଛି । ଏତଦ ବ୍ୟତୀତ କିଛି ଅସାମାଜିକ ଲୋକେ ଏଭଳି ପବିତ୍ର ସ୍ଥାନରେ ମଦମାଂସର ଆସର ଜମାଇ ଥିବାର ଅଭିଯୋଗ ଓ ନଜିର ମଧ୍ୟ ରହିଛି । ତେବଗତ ଦୁଇ ବର୍ଷର ଯାଗର ଯାତ୍ରାକୁ ପ୍ରଶାସନ ବନ୍ଦ କରିଦେଇଥିଲେ ମଧ୍ୟ ଦୈନନ୍ଦିନ ଯାଉଥିବା ପର୍ଯ୍ୟଟକମାନେ ଏପରି କାଣ୍ଡ ଭିଆଇଥାନ୍ତି । ଯଦି ଯାଗର ଯାତ୍ରା ହୁଅନ୍ତା ତେବେ ଏହି ଅଳିଆ ଆବର୍ଜନା ଆହୁରି କୁଢ କୁଢ ହୋଇ ପଡିରହିଥାନ୍ତା । ସେ ଯାହା ହେଉନା କାହିଁକି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ ଏଭଳି ନିର୍ଦ୍ଦେଶକୁ ଜିଲ୍ଲାର ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି । ଅନ୍ୟପକ୍ଷରେ ମହେନ୍ଦ୍ରଗିରି ଯାତାୟତ କରୁଥିବା ପର୍ଯ୍ୟଟକଙ୍କୁ ପ୍ରଶାସନ ତରଫରୁ ଅଙ୍କୁସ ବା ବାରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଲେ ଏଭଳି ଅଳିଆ ଆବର୍ଜନା ପଡିନଥାନ୍ତା ବୋଲି ବୁ୍ଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।