ପୋଲିସ ଭ୍ୟାନ୍ରୁ ଶାଗୁଆନ୍ କାଠ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ୩ୟ ବାଟାଲିୟନର ପୋଲିସ ଭ୍ୟାନ୍ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଓ ସାଇଜ କାଠକୁ ଗତ ୩ତାରିଖ ଦିନ ବନ ବିଭାଗ ଜବତ କରିଥିଲା । ଏହି ଘଟଣାରେ ୪ଜଣ ୩ୟ ବାଟାଲିୟନ ପୋଲିସଙ୍କୁ ଗିରଫ କରାଯାଇ ପାରଳାଖେମୁଣ୍ଡି କୋର୍ଟକୁ ଗତକାଲି ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ,ଗତ ୩ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଥିବା ପୋଲିସ ବ୍ୟାରେକରୁ ୩ୟ ବାଟାଲିଆନର ଏକ ଭ୍ୟାନ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ଗୌରୀ ପ୍ରସାଦ ରଥଙ୍କ ନେତୃତ୍ୱରେ ସମସ୍ତ ଯାନବାହାନ ବନ ବିଭାଗ ତରଫରୁ ଯାଞ୍ଚ କରାଯାଉଥିଲା । ଏହି ଯାଞ୍ଚ ବେଳେ ପାରଳାଖେମୁଣ୍ଡି ଡିଏଫଓ ଅଫିସ ସମ୍ମୁଖରେ ଥିବା ବନ ବିଭାଗ ଚେକ୍ଗେଟ ଦେଇ ଯାଉଥିବା ବେଳେ ଓଡି୦୫ ଏକେ ୫୭୩୩ ଲମ୍ବର ବିଶିଷ୍ଟ ପୋଲିସ ଭ୍ୟନ୍ଟିକୁ ଯାଞ୍ଚ କରାଯାଇଥିଲା । ଏଥିରୁ ୭୬ଗୋଟି ପଟା ଏବଂ ୨୪ଗୋଟି ଶାଗୁଆନ ସାଇଜ୍ କାଠ ବାହାରି ଥିଲା । ଏହି କାଠକୁ ବନବିଭାଗ ଜବତ କରିବା ସହ ପୋଲିସ ଭ୍ୟାନ ଦ୍ୱାରା ବିନା ପରମିଟରେ ଚାଲାଣ କରୁଥିବା୪ଜଣ ୩ୟ ବାଟାଲିୟନ ପୋଲିସଙ୍କୁ ବନବିଭାଗ ଅଟକ ରଖି ତଦନ୍ତ କରୁଥିଲେ । ଏହି ଘଟଣାରେ ଗତକାଲି ବନ ବିଭାଗ ୪ଜଣ ୩ୟ ବାଟାଲିୟନ ପୋଲିସଙ୍କୁ ଗିରଫ କରି ପାରଳା କୋର୍ଟକୁ ବନ ବିଭାଗ ଚାଲାଣ କରିଛି । ଏହି ୪ଜଣ ହେଲେ ୩ୟ ବାଟାଲିୟନର ଡେପୁଟି ସୁବେଦାର ତୋଶବନ୍ତ ଆଚାର୍ଯ୍ୟଙ୍କ ସମେତ ୩ଜଣ ସିପାହୀ ଶ୍ରୀଧର ବେହେରା,ଚିନ୍ମୟ ବେହେରା ଓ ଭରତ ମହାଙ୍କୁଡ ଅଟନ୍ତି ।


