ପୋଲିସ ମହାନିର୍ଦେଶକଙ୍କ କେନ୍ଦ୍ରାପଡା ଗସ୍ତ ସହ ସ୍ଥିତିର ସମୀକ୍ଷା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ରବିବାର କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଛନ୍ତି । ପୋଲିସ ଡିଜି ଶ୍ରୀ ଅଭୟ କେନ୍ଦ୍ରାପଡାରେ ପହଁଚିବା ପରେ ପ୍ରଥମେ ରିଜର୍ଭ ପୋଲିସକୁ ଯାଇ ସେଠାରେ ଥିବା ପୋଲିସ କର୍ମଚାରୀମାନଙ୍କୁ ଭେଟି ସେମାନଙ୍କ ଡ୍ୟୁଟି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ କୋଭିଡ – ୧୯ ଉପରେ ଜିଲ୍ଲାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । କୋଭିଡ -୧୯ ରେ ପୋଲିସର ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ,ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,ବିଦେଶରୁ ଓ ରାଜ୍ୟ ବାହାରୁ ଏହି ଜିଲ୍ଲାକୁ ଆସିଥିବା ଲୋକମାନଙ୍କ ସମ୍ପର୍କରେ ସେ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଠାରୁ ପଚାରି ବୁଝିଥିଲେ । ଡିଜି ଶ୍ରୀ ଅଭୟଙ୍କ ସହିତ କେନ୍ଦ୍ରାଚଂଳ ଡିଆଇଜି ଆଶିଷ କୁମାର ସିଂ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ଏହାପରେ ଡିଜି ଶ୍ରୀ ଅଭୟ ଓ ଡିଆଇଜି ଶ୍ରୀ ସିଂ କେନ୍ଦ୍ରାପଡା ଟାଉନ ଥାନାକୁ ଯାଇ ସେଠାରେ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କ ସହିତ ସହରରେ କୋଭିଡ -୧୯ ସମ୍ପର୍କରେ ଆଲୋଚନା କରିଥିଲେ । ସହରର ବିଭିନ୍ନ ସ୍ଥାନ ବୁଲି ଡିଜି ଶ୍ରୀ ଅଭୟ ପୋଲିସ ପକ୍ଷରୁ କିଭଳି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସ୍ଥିତିର ଆକଳନ କରିଥିଲେ । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଦୈନିକ ୮ଘଂଟା ଡ୍ୟୁଟି, ସପ୍ତାହରେ ଗୋଟିଏ ଦିନ ଛୁଟି ପ୍ରଦାନ, ଗ୍ଲୋବ୍ସ ଓ ମାସ୍କ ବ୍ୟବହାର, ଖରାରେ ଛତା ତଳେ ରହି ଡ୍ୟୁଟି କରିବା ପ୍ରଭୃତି ସମ୍ପର୍କରେ ସହରର ବିଭିନ୍ନ ସ୍ଥାନରେ ଦାୟୀତ୍ୱ ନିର୍ବାହ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଠାରୁ ସେ ପଚାରି ବୁଝିଥିଲେ । ପୋଲିସ ହଠାତ ଜନସାଧାରଣଙ୍କ ଉପରେ କଠୋର ନହୋଇ ପ୍ରଥମେ ସେମାନଙ୍କୁ ସଚେତନ କରିବା ପରେ ଯଦି ଆବଶ୍ୟକ ପଡେ ତେବେ ଦଣ୍ଡିତ କରିବାକୁ ଡିଜି ଶ୍ରୀ ଅଭୟ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ଫେରିଯାଇଥିଲେ । ଡିଜି ଶ୍ରୀ ଅଭୟ ଆଜି ପ୍ରଥମେ ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ ପରେ କେନ୍ଦ୍ରାପଡା ଜିଲ୍ଲାକୁ ଆସିଥିଲେ ।


