ପୋଲ ଉଡାଇ ଦେବାକୁ ଧମକ ପୋଷ୍ଟର ଆତଙ୍କ ସୃଷ୍ଟିକାରୀଙ୍କୁ ଉଚିତ୍ ଦଣ୍ଡ : ଏସପି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ ନିକଟସ୍ଥ ଶିଆଳିଲଟି ସଂଯୋଗ କରୁଥିବା କୁଆଁପଡା ସେତୁରେ ଏକ ଧମକପୂର୍ଣ୍ଣ ପୋଷ୍ଟର ଗତକାଲି ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି । ଘଟଣାଟି ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ଠାରେ ପହଞ୍ଚିବା ପରେ ଘଟଣା ସ୍ଥଳରେ ତୁରନ୍ତ ସମସ୍ତ ଅନୁଧ୍ୟାନ କରାଯାଇଥିଲା । ପୋଷ୍ଟର ଦ୍ୱାରା ସାଧାରଣରେ ଏଭଳି ଆତଙ୍କ ସୃଷ୍ଟି କରିଥିବା ବ୍ୟକ୍ତି ମାନଙ୍କୁ ଅତି ତୁରନ୍ତ ଖୋଜି ବାହାର କରାଯିବା ସହ ଉଚିତ୍ ଦଣ୍ଡ ଦିଆଯିବ ବୋଲି ଗଜପତି ଏସପି ସାରା ଶର୍ମା ପ୍ରକାଶ କରି କହିଛନ୍ତି,ଏହା କେବଳ ଗୁଜବ ଅଟେ । ଏଥିରେ କୌଣସି ଭାବେ ଆତଙ୍କିତ ହେବା ଆବଶ୍ୟକ ନାହିଁ । କୁଆଁପଡା ସେତୁରେ ମରାଯାଇଥିବା ପୋଷ୍ଟର ମାଧ୍ୟମରେ ତାଗିଦ କରାଯାଇଛି ଯେ, “ଦୟାକରି ଏହି ବ୍ରିଜ ପଟେ ଯାନ୍ତୁ ନାହିଁ । କାହିଁକିନା ବ୍ରିଜ ବ୍ଲାଷ୍ଟିଂ ହେବାର ସମ୍ଭାବନା ରହିଛି । ଯଦି ଯିବେ ସତର୍କ । ଅଧିକ ଜାଣିବା ପାଇଁ -୯୪୩୮୦୧୨୮୬୦ରେ ଯୋଗାଯୋଗ କରନ୍ତୁ ବୋଲି ଉଲ୍ଲେଖ ରହିଛି । ତେବେ ଏହି ନମ୍ବରରେ ଯୋଗାଯୋଗ କରିବାରୁ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ରତିରଂଜନ ପାତ୍ରଙ୍କ ଏହି ନମ୍ବରଟି ରହିଥିବା ଜଣାପଡିଥିଲା । ପରେ କନିଷ୍ଠ ଯନ୍ତ୍ରୀ ଆର୍.ଉଦୟଗିରି ଥାନାରେ ଏ ନେଇ ଏତଲା ଦେଇଥିଲେ । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆର୍.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ôଚ ଏହା କିଏ ଲଗାଇଛି ଏବଂ ଏଭଳି ଧମକଭରା ପୋଷ୍ଟର ଲଗାଇବାର ଉଦ୍ଦେଶ୍ୟ କଣ ସେ ନେଇ ସମସ୍ତ ଅନୁଧ୍ୟାନ କରିଥିଲେ । ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ସେହି ଅଞ୍ଚଳରେ ସମସ୍ତ ତଦନ୍ତ କରି ଫେରିଛନ୍ତି । ଏଠାରେ ସେଭଳି କିଛି ନଥିବା ଜଣାଯାଇଛି । ହେଲେ ଗଜପତି ଜିଲା ଏକ ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଭଳି ଧମକ ପୂର୍ଣ୍ଣ ପୋଷ୍ଟରକୁ ଦେଖି ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏଭଳି ପୋଷ୍ଟରମାରି ଲୋକଙ୍କୁ ଭୟଭୀତ କରୁଥିବା ଷଡଯନ୍ତ୍ରକାରୀଙ୍କୁ ଅତି ତୁରନ୍ତ ଚିହ୍ନଟ କରି ଉଚିତ ଦଣ୍ଡ ଦିଆଯିବ ବୋଲି ଏସପି ସାରା ଶର୍ମା ପ୍ରକାଶ କରି ଲୋକେ ଏ ନେଇ ବିଚଳିତ ନ ହୋଇ ଏଭଳି ଲୋକଙ୍କୁ ଧରାଇବାରେ ପୋଲିସକୁ ସହେଯାଗ କରନ୍ତୁ ବୋଲି ନିବେଦନ କରିଛନ୍ତି ।