ପୋଲ ତଳୁୁ ବେନିୟମ ବାଲି ଉଠାଣ, ମଥୁରାପୁର ପୋଲ ଦବିଲା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ଥିବା ବୈତରଣୀ ନଦୀର ମଥୁରାପୁର ପୋଲ ନିକଟରୁ ବେଆଇନି ଭାବେ ବାଲି ଉତ୍ତୋଳନ ଯୋଗୁଁ ପୋଲଟି ଦବିଯାଇ ବିପଦ ଶଙ୍କୁଳ ହୋଇ ପଡିଛି । ପୋଲର ଦୁଇଟି ପିଲାର ଦବିଯାଇ ବିପଦ ଶଙ୍କୁଳ ହୋଇପଡିଥିବାରୁ ପୋଲ ଉପରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନଥିବା କି ବାଲି ଉତ୍ତୋଳନ ବନ୍ଦ କରାଯାଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି । ଜମ୍ଭରା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଜମ୍ଭରା ଓ ମଥୁରାପୁର ନିକଟକରେ କୋଟି କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ । ଏହି ପୋଲ ନିର୍ମାଣ ଦ୍ୱାରା ଭଦ୍ରକ, କେନ୍ଦୁଝର ସହିତ ଯାଜପୁର ଜିଲ୍ଲାକୁ ସଂଯୋଗ ହୋଇପାରିବା ସହ କେନ୍ଦୁଝର ଜିଲ୍ଲାର ଜମ୍ଭରା, ହାବଳେଶ୍ୱର, ଡିମିରିଆ, ଆଗିରିଆ, ସମଣା, ବାହାରିପୁର, ଶାଳଣିଆଁ, ଡଅଁର, ଇଞ୍ଚୋଳ ଆଦି ଅଞ୍ଚଳର ଲୋକମାନେ ସିଧାସଳଖ ଓ ବହୁ କମ ସମୟରେ ଯାଜପୁର ଓ କଟକ, ଭୁବନେଶ୍ୱରକୁ ଯାତାୟତ କରିପାରିବେ । କିନ୍ତୁ ଗତ ୫ବର୍ଷ ପୁର୍ବେ ବୈତରଣୀ ନଦୀର ଡିମିରିଆ ଘାଟରୁ ବାଲି ପରିବହନ ପାଇଁ ନିଲାମଦେବା ପରେ ନିଲାମଧାରୀ ଲିଜ ଏରିଆ ବାହାରେ ବାଲି ଉତ୍ତୋଳନ କରିବା ସହିତ ପୋଲ ନିକଟରୁ ବାଲି ଉଠାଣ କରିଥିଲେ । ପୋଲ ଠାରୁ ୫୦୦ମିଟର ଦୁରରୁ ବାଲି ଉତ୍ତୋଳନ କରାଯିବାକୁ ନିୟମ ଥିବାବେଳେ ଲିଜ ଧାରୀ ମନଇଛା ବାଲି ଉଠାଣ କରିବାରୁ ଗତ ବର୍ଷ ଏହି ପୋଲର ୩ନଂ ଓ ୧୦ନଂ ପିଲର ଦବି ଯାଇଥିଲା । ପରିସ୍ଥିତି ଏପରି ହୋଇଛି ଯେ ୧୦ନଂ ପିଲରଟି ସମ୍ପୁର୍ଣ୍ଣ ଦବି ଦବି ଯାଉଥିବାରୁ ଏବେ ତାହା ୬ରୁ ୮ଇଞ୍ଚ ଦବିଯାଇ ଏକ ହମ୍ପସ ସଦୃଶ ହୋଇଗଲାଣି । ପୋଲର ରଡ ଗୁଡିକ ମଧ୍ୟ ବାହାରକୁ ବାହାରି ପଡିଲାଣି । ଯାହା ଦ୍ୱାରା ଅନେକ ଦୁର୍ଘଟଣାଘଟି ଲୋକମାନେ ମୃତାହତ ହୋଇଥିବା ନଜିର ଅଛି । ପୋଲଟି ବିପଦ ଶଙ୍କୁଳ ହୋଇପଡିଥିଲେ ମଧ୍ୟ ଏହା ଉପର ଦେଇ ଶହଶହ ଭାରିଜାନ ଚଳାଚଳ କରୁଥିବାରୁ ପୋଲଟି ଅଳ୍ପ ଦିନ ମଧ୍ୟରେ ଭୁଷୁଡି ପଡିବା ଆଶଙ୍କା ଦେଖା ଦେଇଛି । ଏନେଇ ଜମ୍ଭରା ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ପ୍ରଶାସନ ବେନିୟମ ବାଲି ଉଠାଣ କିମ୍ବା ପୋଲ ନିର୍ମାଣ କ୍ଷେତ୍ରରେ କୌଣସି ଆଖିଦୃଷିଆ ପଦକ୍ଷେପ ନେଉ ନଥିବା ଗ୍ରାମର ସୁଦର୍ଶନ ମଲ୍ଲିକ, ବିନୋଦ ହାତୀ, ସରୋଜ ମଲ୍ଲିକ, ପ୍ରମୋଦ ହାତୀ, ମନୋଜ କୁମାର ମହାନ୍ତି, ସୁବ୍ରତ ମଲ୍ଲିକ, ବଳରାମ ମହାନ୍ତି, ସୁଶାନ୍ତ ଜେନା, ସନ୍ଦିପ୍ତ ରାଉତ, ସରୋଜ ଜେନା, ପ୍ରକାଶ ବିଶ୍ୱାଳ, ଅଜୟ ରାଉତ, ଗୋପବନ୍ଧୁ ଜେନା, ନିହାର ମହାପାତ୍ର, ରମେଶ ଜେନା, ସନ୍ତୋଷ କୁମାର ଜେନା, ଶ୍ରୀଧର ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ଏନେଇ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହିତ ତୁରନ୍ତ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେଲେ ସେମାନେ ବାଧ୍ୟହୋଇ ପୋଲ ଉପରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ