ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ରଥ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସାରା ଭାରତରେ ପୋଷ୍ୟସନ୍ତାନ ଗ୍ରହଣ ସପ୍ତାହ ନଭେମ୍ବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ୨୦ ପର୍ଯ୍ୟନ୍ତ ପାଳନ କରାଯାଇଥଏ । ଚଳିତବର୍ଷ ମଧ୍ୟ ଏହା ସାରା ଭାରତବର୍ଷରେ ପାଳନ ହେଉଛି । ଏହାକୁ ଜିଲ୍ଲାରେ ଚଳଚଂଚଳ କରିବା ସହ ପୋଷ୍ୟସନ୍ତାନଙ୍କୁ ଗ୍ରହଣ କରିବା ପାଇଁ ଥିବା ଆଇନକାନୁନ ସମ୍ପର୍କରେ ଲୋକମାନଙ୍କୁ ସାରା ଜିଲ୍ଲାରେ ବୁଲି ସଚେତନ କରିବା ଉଦେଶ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ପ୍ରସ୍ତୁତ ଏକ ସଚେତନତା ରଥକୁ ବୁଧବାର ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇ କହିଥିଲେ ଯେ କୈାଣସି ସ୍ଥାନରେ ଏକୁଟିଆ ବା ପରିତ୍ୟକ୍ତ ଅବସ୍ଥାରେ କେହି ପିଲାଙ୍କୁ ପାଇଲେ ସ୍ଥାନୀୟ ଚାଇଲଡ ଲାଇନ ଟୋଲ ଫ୍ରି ନମ୍ବର – ୧୦୯୮, ସ୍ଥାନୀୟ ପୋଲିସ, ଶିଶୁ ମଙ୍ଗଳ ସମିତି, ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର(ଏସ.ଏସ.ଏ.) ବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଜଣାଇବା ସହ ଜିଲ୍ଲାରେ କାମ କରୁଥିବା ଦୁଇଟି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସଚେତନତା ରଥ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ,ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ,ସମିତିର ସମସ୍ତ ସଭ୍ୟ/ସଭ୍ୟା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।