ପୌରପାଳିକା ପକ୍ଷରୁ କରୋନା ନେଇ ସଚେତନତା ବୈଠକ
ଯୋଡ଼ା (ଯୁଗାଦ୍ଦ) : ପୌରପାଳିକା ପକ୍ଷରୁ ମାରାତ୍ମକ କରୋନା ରୋଗର ପ୍ରତିଷେଧମୂଳକ ପଦକ୍ଷେପ ନେଇ ଶନିବାର ପୌରପାଳିକାର ୧୪ଟି ଓାର୍ଡ, ବିଭିନ୍ନ ବସ୍ତି ଓ ହଟିଂରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଗୃହ ନିର୍ମାଣ ଓ ପୌରଉନ୍ନୟନ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ଓାର୍ଡର ଅଫିସରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ସରକାରଙ୍କଠାରୁ ପ୍ରାପ୍ତ ନିର୍ଦ୍ଦେଶାବଳୀ ପାଠ କରିବା ସହିତ ହାତ ଧୂଆ, ସାମାଜିକ ଦୂରତା ବଜାୟ ରଖିବା , ବିଭିନ୍ନ ସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ଏବଂ କେନ୍ଦୁଝର ଜିଲାପାଳଙ୍କ ଦ୍ୱାରା ଲାଗୁ କରାଯାଇଥିବା ୧୪୪ ଧାରା ଅନୁଯାୟୀ ୫ ଜଣ ରୁ ଉର୍ଦ୍ଧ୍ୱ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ନହେବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଓାର୍ଡର ପୂର୍ବତନ ପାରିଷଦ, ବୟଜ୍ୟେଷ୍ଟ ବ୍ୟକ୍ତି, ମୁଖିଆ, ସମାଜସେବୀ, ଅଙ୍ଗନଓାଡି କର୍ମୀ, ସ୍ୱଛସାଥୀ, ସୁପରଭାଇଜର, ଭଦ୍ରମହିଳା ଓ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ । ସମସ୍ତେ ଏହାକୁ ସ୍ୱାଗତ କରିବା ସହିତ ସମସ୍ତଙ୍କୁ ସହ ଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । କାରଣ, ସଚେତନତା ଦ୍ୱାରା କରୋନା ଭଳି ମାରାତ୍ମକ ରୋଗର ମୁକାବିଲା କରାଯାଇପାରିବ ବୋଲି ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀପାଟ୍ଟ ଯୋଶୀ କହିଛନ୍ତି । ସେହିପରି ଯୋଡା ସହରରେ ବିଭିନ୍ନ ମଲ ଖୋଲା ରହୁଥିବାରୁ ଗ୍ରାହକମାନଙ୍କର ସେଠାରେ ଭିଡ ଜମୁଛି । ଫଳରେ ବିଭିନ୍ନ ମହଲରେ ମଲ୍ ବନ୍ଦ କରାଯିବା ପାଇଁ ଦାବି ହୋଇଛି ।