ପୌରାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ସୁନହଟ ଅନ୍ତର୍ଗତ ପିଜୁରୁଦ୍ଦିନ ଲେନ ଠାରେ ଏକ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୌରପାଳିକାର ୪ନଂ ଓ ୬ନଂ ଫ୍ୱାର୍ଡର ମଧ୍ୟସ୍ଥଳରେ ଏହି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ ।ଏହି ପ୍ରକଳ୍ପ ଦ୍ୱାରା ୪୦୦ରୁ ଊର୍ଦ୍ଧ୍ୱ ପରିବାର ଉପକୃତ ହେବେ ବୋଲି ସେମାନେ କହିଥିଲେ । ତେବେ ଆଗାମୀ ଦିନରେ ସ୍ଥାନୀୟ ଦରକୁଳି ନିକଟରେ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣଧୀନ ବ୍ୟାରେଜରୁ ୧୬୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ବାଲେଶ୍ୱର ସହର ପାଇଁ ଏକ ମେଗା ପାନୀୟ ଜଲ ପ୍ରକଳ୍ପ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥବା ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ । ଏହି ପ୍ରକଳ୍ପ ସହ ନୋସି ଠାରେ ଫ୍ୱାଟର ଟ୍ରିଟ୍ମେଂଟ ପ୍ଲାଂଟ ପ୍ରତିଷ୍ଠା ପରେ ସହରବାସୀଙ୍କ ସମସ୍ତ ପ୍ରକାର ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ସେ କହିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ୪ନଂ ୱାର୍ଡ କାଉନସିଲର ସଲିମା ବିବି ଓ ୬ନଂ ୱାର୍ଡ କାଉନସିଲର କବିତା ମୁର୍ମୁ ଉପସ୍ଥିତ ରହି ସ୍ଥାନୀୟ ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ବିଧାୟକ ଓ ପୌରାଧ୍ୟକ୍ଷାଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଶେଖ ଆୟୁବ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ପୂର୍ବତନ କାଉନସିଲର ଅବଦୁଲ ସାକିର ଖାଁ, ଯୁବନେତା ଇନ୍ତେଖ୍ୱାବ ଅଲ୍ଲୀ ଖାଁ, ଶେଖ ଭାନୁ, ଫିରୋଜ ଖାନ୍, ଶେଖ ଜୁମନ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଅଂଚଳର ବହୁ ଯୁବକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।