ପୌରାଧ୍ୟକ୍ଷ ଆସନକୁ ନେଇ ବଢୁଛି ତତ୍ପରତା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ସମେତ ଗଞ୍ଜାମ ଜିଲ୍ଲାର ୫ଟି ବ୍ଳକ ସହିତ ୨ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଗତ କିଛି ଦିନ ଧରି ପଞ୍ଚାୟତ ନିର୍ବାଚନ ସକାଶେ ଗାଁ ଦାଣ୍ଡ ଦୁଲୁକି ଉଠୁଥିବା ବେଳେ ମତଦାନ ଶେଷ ହେବା ପରେ କିଛିଟା ନିରବ ସାଜିବାକୁ ବସିଥିବା ବେଳେ ପୌର ନିର୍ବାଚନ ସକାଶେ ନିର୍ବାଚନ କମିଶନଙ୍କ ସବୁଜ ସଙ୍କେତ ମିଳିବା ପରେ ପୁଣିଥରେ ସହର ଚଳଚଞ୍ଚଳ ହୋଇ ଉଠିବ  । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ସକାଶେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ପୌର ନିର୍ବାଚନ ସକାଶେ  ଏଯାବତ୍ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଆଶାୟୀ ପ୍ରାର୍ଥୀ ମାନେ ଏବେଠାରୁ ଅଙ୍କ କଷିବା ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି । ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ୱାର୍ଡ଼ ସଭ୍ୟ ସକାଶେ ଆଶାୟୀ ମାନେ କିଏ କେଉଁ  ୱାର୍ଡରୁ ପ୍ରାର୍ଥ ହେବେ ସେ ନେଇ କସରତ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି । ରାଜ୍ୟ ରାଜନୀତିରେ ହିଞ୍ଜିଳିକାଟୁ ରାଜନୀତି ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ତଥା ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ରାଜନୀତି ରାଜ୍ୟ ରାଜନୀତିରେ ବେଶ ଆଲୋଚ୍ୟ ପ୍ରସଙ୍ଗ ପାଲଟୁଥିବା ଜଣାପଡିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌର ପରିଷଦର ବିଭିନ୍ନ ୱାର୍ଡରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । କାଉନସିଲର ସହ ପୌରାଧ୍ୟକ୍ଷ  ପଦବି ସକାଶେ ଚଳିତ ବର୍ଷ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବା ବେଳେ ଆଶାୟୀ ମାଳ ମାଳ ହେଉଥିବା ଆଭାସ ମିଳିଛି । ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ପଦବି ଅଣ ସଂରକ୍ଷିତ ରହିଥିବାରୁ ସଂପୃକ୍ତ ପଦବି ସକାଶେ ଆଶାୟୀ ମାନେ ଏବେଠାରୁ ଜୋରସୋରରେ ରଣନୀତି ପ୍ରସ୍ତୁତ କରୁଥିବାର ଜଣାପଡିଛି ।  ହିଞ୍ଜିଳିକାଟୁ ପୌର ପରିଷଦରେ ମୋଟ ୨୧ଟି ୱାର୍ଡ ରହିଛି । ପ୍ରତ୍ୟେକ ନିର୍ବାଚନରେ କାଉନସିଲର ମାନେ ନିର୍ବାଚିତ ହେବା ପରେ ପରୋକ୍ଷ ଭାବେ ଅଧ୍ୟକ୍ଷ ନିର୍ବାଚିତ କରୁଥିଲେ । ଚଳିତ ଥର ଅଧ୍ୟକ୍ଷ ପଦବି ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିବାରୁ ଭୋଟର ମାନେ ସିଧାସଳଖ ଅଧ୍ୟକ୍ଷ ପଦବି ସକାଶେ ଭୋଟ ଦେବା ପାଇଁ ସୁଯୋଗ ମିଳିଥିବାରୁ ଅଧ୍ୟକ୍ଷ ପଦବି ବେଶ ରୋଚକପୁର୍ଣ୍ଣ ହେବାର ସ୍ପଷ୍ଟ ଆଭାସ ମିଳିଛି । ହିଞ୍ଜିଳିକାଟୁ ପୌର ପରିଷଦ (ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ) ଗତ ୧୯୬୪ ମସିହା ମଇ ମାସ ୧୧ ତାରିଖରେ ସ୍ଥାପନ ହୋଇଥିଲା । ଗତ ୨୦୧୭ ମସିହା ନଭେମ୍ବର ୧୮ ତାରିଖରେ ହିଞ୍ଜିଳିକାଟୁ ପୌର ପରିଷଦର ମାନ୍ୟତା ଲାଭ କରିଛି । ପୂର୍ବରୁ ନଗରପାଳ ପଦବି ସକାଶେ ୨ଥର ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ୧୯୭୯ ମସିହାରେ ଉଦୟନାଥ ପଣ୍ଡା ଡଙ୍ଗା ଚିହ୍ନରେ ବିଜୟୀ ହୋଇ ସିଧାସଳଖ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ । ଅନୁରୂପ ଭାବେ ୧୯୯୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ହୃଦୟାନନ୍ଦ ମହାପାତ୍ର (ବର୍ତ୍ତମାନ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଓ ବିଜେଡିର ପ୍ରାକ୍ତନ କାଉନସିଲର)  ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇ ନଗରପାଳ ଭାବେ ଆସନ ଗ୍ରହଣ କରିଥିଲେ । ପୌରାଞ୍ଚଳରେ ଥିବା ୨୧ଟି ୱାର୍ଡ ପାଇଁ ଅନେକ ଆଶାୟୀ ରହିଥିବା ଜଣାପଡ଼ିଛି । ୨୦ ହଜାର ୬୯୬ ଜନସଂଖ୍ୟା ବିଶିଷ୍ଟ ହିଞ୍ଜିଳିକାଟୁ ପୌରାଞ୍ଚଳର ୨୧ଟି ୱାର୍ଡ ମଧ୍ୟରୁ  ୱାର୍ଡ ସଂଖ୍ୟା – ୧,୫ , ୧୦,୧୧.୧୨,୧୩,୧୫ ଓ ୧୯ ନଂ ୱାର୍ଡ ଅଣ ସଂରକ୍ଷିତ, ୩,୪,୬,୮ ,୯,୧୪ ଓ ୨୦ ନଂ ୱାର୍ଡ  ମହିଳା ସକାଶେ, ୱାର୍ଡ ନଂ- ୨ଓ ୧୭ ଅନୁସୂଚିତ ଜାତି, ୧୬ ଓ ୧୮ ଅନୁସୂଚିତ ଜାତି ମହିଳା ଓ ୱାର୍ଡ ନଂ ୭ ଅନୁସୂଚିତ ଜନଜାତି ମହିଳାଙ୍କ ସକାଶେ ସଂରକ୍ଷିତ ରହିଛି । ଏଥି ସହ ଅଧ୍ୟକ୍ଷ ପଦବି ଅଣସଂରକ୍ଷିତ ରହିଥିବାରୁ ପୌର ଅଧ୍ୟକ୍ଷ ପଦକୁ ନେଇ ହିଞ୍ଜିଳିକାଟୁ ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ଗତ ୨୦୧୪ ଏନଏସି ନିର୍ବାଚନରେ ହିଞ୍ଜିଳିକାଟୁ ପୌରାଞ୍ଚଳର ୨୧ଟି ୱାର୍ଡ ମଧ୍ୟରୁ ଶାସକ ବିଜେଡ଼ି ୧୬ଟି, ସ୍ୱାଧୀନ ୪ଟି ଓ କଂଗ୍ରେସ ୧ଟି ୱାର୍ଡ ଦଖଲ କରିଥିବା ବେଳେ ବିରୋଧୀ ବିଜେପି ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳିକାଟୁ ପୈାର ନିର୍ବାଚନରେ ଖାତା ଖୋଲିବାକୁ ସକ୍ଷମ ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ରାଜନୈତିକ ସମୀକରଣ ବଦଳି ଯାଇଥିଲା । ପରବର୍ତ୍ତୀ ସମୟରେ ୮ନଂ ୱାର୍ଡରୁ ବିଜୟୀ ଭିକା ବେହେରା, ୧୦ନଂ ୱାର୍ଡରୁ ବିଜୟୀ ପ୍ରାର୍ଥନୀ ଗିତାଞ୍ଜଳି ପାଣିଗ୍ରାହୀ, ୧୧ନଂ ୱାର୍ଡରୁ ବିଜୟୀ ପ୍ରାର୍ଥନୀ କନକଲତା ମହାରଣା, ୧୫ନଂ ୱାର୍ଡରୁ ବିଜୟୀ ପ୍ରାର୍ଥନୀ ପୁଷ୍ପାଞ୍ଜଳି ବୈଠାରୁ ଓ ୧୭ନଂ ୱାର୍ଡରୁ ବିଜୟୀ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସାହୁ ବିଜେଡିରେ ଯୋଗଦାନ କରିଥିଲେ । ରାଜନୈତିକ ସମୀକରଣ ବଦଳିବା ସହିତ ହିଞ୍ଜିଳିକାଟୁ ପୌରାଞ୍ଚଳର ସମସ୍ତ ପ୍ରାର୍ଥୀ ବିଜେଡି ହୋଇ ବିଜୟବାନା ଉଡାଇଥିଲେ । ଅଧ୍ୟକ୍ଷା ପଦବି ମହିଳାଙ୍କ ଲାଗି ସଂରକ୍ଷିତ ରହିଥିବାରୁ ୩ନଂ ୱାର୍ଡରୁ ବିଜୟୀ ପ୍ରାର୍ଥନୀ ଗୌରୀ ପାଣିଗ୍ରାହୀ ଅଧ୍ୟକ୍ଷା ମୁକୁଟ ପିନ୍ଧିଥିଲେ । ଚଳିତ ଥର ମଧ୍ୟ ପୌର ଅଧ୍ୟକ୍ଷ ପଦବି ବିଜେଡି ହାତେଇନେବାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ହାର ବୃଦ୍ଧି ପାଇବା ପରେ ଚଳିତ ଥର ପୌର ନିର୍ବାଚନରେ ବିଜେପି କିଛି ୱାର୍ଡ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛି । ଅନ୍ୟ ପକ୍ଷରେ କଂଗ୍ରେସ ଦଳ ମଧ୍ୟ କିଛି ୱାର୍ଡ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବାର ଜଣାପଡିଛି । ଅଧ୍ୟକ୍ଷ ପଦବି ଅଣ ସଂରକ୍ଷିତ ଥିବାରୁ ଶାସକ ବିଜେଡିର ବହୁ ପ୍ରାର୍ଥୀ ଅଶାୟୀ ରହିଥିବାର ଜଣାପଡିଛି । ଅଧ୍ୟକ୍ଷ ପଦବି ସକାଶେ ପ୍ରତ୍ୟକ୍ଷ ନିର୍ବାଚନ ରହିଥିବାରୁ ଶାସକ ବିଜେଡିର ବହୁ ଆଶାୟୀ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ସିଧାସଳଖ ଓହ୍ଲାଇବାକୁ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି । ଶାସକ ବିଜେଡିର ବହୁ ଆଶାୟୀ ପ୍ରାର୍ଥି ନିଜକୁ ଦାବିଦାର ବୋଲି କହି ବୁଲୁଥିବା ଚର୍ଚ୍ଚା ଜୋର ଧରିଛି । ବିଜେଡି ପକ୍ଷରୁ ଯାହାକୁ ଟିକଟ ମିଳିବ ପୌର ଅଧ୍ୟକ୍ଷ ପଦବି ହାତେଇବାର ଯଥେଷ୍ଠ ସମ୍ଭାବନା ଥିବା ବେଳେ କିଛି ବ୍ୟକ୍ତି ବିଜୁ ଜନତା ଦଳ ପକ୍ଷରୁ ଟିକଟ ନପାଇଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦବୀ ସକାଶେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ସ୍ଥିର କରିଥିବା ବାଟେଘାଟେ ଶୁଣିବାକୁ ମିଳିଛି । ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ପଦବି ସକାଶେ ଦୌଡ଼ରେ ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗଉଡ, ପୂର୍ବତନ ଉପନଗରପାଳ ତଥା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଯୁବ ବିଜେଡି ସମ୍ପାଦକ ପ୍ୟାରୀମୋହନ ପାଢି, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକଙ୍କ ସମେତ କିଛି ବରିଷ୍ଠ ବିଜେଡି କର୍ମୀ ଓ ଯୁବ କର୍ମୀ ଦୌଡରେ ଥିବା ଚର୍ଚ୍ଚା ଜୋର ଧରିଛି । ଦେଖାଯାଉ ପୌରାଧ୍ୟକ୍ଷ ପଦବି ସକାଶେ ହାତୀ କହା ମୁଣ୍ଡରେ ସୁନା କଳସ ଢାଳୁଛି । ନିର୍ବାଚନ ସକାଶେ ତାରିଖ ଘୋଷଣା ହୋଇନଥିବା ବେଳେ, ହିଞ୍ଜିଳିକାଟୁ ପୌରାଞ୍ଚଳର ରାଜନୈତିକ ବାତାବରଣ ଏବେ ଠାରୁ ଉଷ୍ମ ହେବାରେ ଲାଗିଲାଣି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ