ପୌର ନିର୍ବାଚନ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ନିଯୁକ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) :ପୌର ନିର୍ବାଚନ-୨୦୨୨ ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାର ୫ଟି ସହରାଞ୍ଚଳ ପାଇଁ ବରିଷ୍ଠ ପ୍ରଶାସକ ଆଇଏଏସ ଅଧିକାରୀ ଜ୍ୟୋତି କୁମାର ଲାକ୍ରା (ମୋ-୯୯୩୮୬୩୫୯୫୫) ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଜିଲାର ବାଲେଶ୍ୱର, ଜଳେଶ୍ୱର ଓ ସୋର ଆଦି ୩ଟି ପୌରାଞ୍ଚଳ ଏବଂ ନୀଳଗିରି ଓ ରେମୁଣା ୨ଟି ଅଧିସୂଚିତ କ୍ଷେତ୍ର ପରିଷଦରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଲାକ୍ରା ଜିଲାର ଏହି ୫ଟି ସହରାଞ୍ଚଳ ଗସ୍ତ କରି ନିର୍ବାଚନ ପରିଚାଳନା, ଆଦର୍ଶ ଆଚରଣ ବିଧି, ସଭାସମିତି, ନିର୍ବାଚନୀ କଟକଣା, ମାର୍ଗଦର୍ଶିକାର ଅନୁପାଳନ ଇତ୍ୟାଦି ଉପରେ ନଜର ରଖିବେ । ଏଥି ସହିତ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସମୀକ୍ଷା କରିବେ । ଏତଦ୍ ବ୍ୟତୀତ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗର ସମାଧାନ ସହ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ।